‘ସ୍ୱୟଂସିଦ୍ଧା’ ପତ୍ରିକା ଉନ୍ମୋଚିତ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ପବିତ୍ର ଦୀପାବଳି ଅବସରରେ ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍‌’ ପକ୍ଷରୁ ପ୍ରକାଶିତ ‘ସ୍ୱୟଂସିଦ୍ଧା’ ସାହିତ୍ୟ ପତ୍ରିକାର ପୂଜା ସଂଖ୍ୟା-୨୦୨୦ର ଉନ୍ମୋଚନ ଉତ୍ସବ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ନିରାଡ଼ମ୍ବରଭାବେ ନୀଳାଦ୍ରି ବିହାରସ୍ଥିତ ସଂପାଦକୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ‘ନନ୍ଦିକା’ ପତ୍ରିକାର ସଂପାଦକ କ୍ଷୀରୋଦ ଚନ୍ଦ୍ର ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ‘ସ୍ୱୟଂସିଦ୍ଧା’କୁ ଉନ୍ମୋଚନ କରିଥିଲେ। ଯୁବ ଲେଖିକା ଅଧ୍ୟାପିକା କ୍ଷୀରୋଦିନୀ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂପ୍ରତିକ ସମୟରେ ପତ୍ରିକା ପ୍ରକାଶନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଶ୍ରୀଯୁକ୍ତ ପରିଡ଼ା ଗ୍ରାମାଞ୍ଚଳରେ ସାହିତ୍ୟ ପତ୍ରିକା ପ୍ରକାଶ ପାଇଲେ ସେହି ଅଞ୍ଚଳର ଲୁକ୍କାୟିତ ସାରସ୍ୱତ ପ୍ରତିଭା ପ୍ରେରଣା ଲାଭ କରିବା ସହିତ ଭାଷା ସାହିତ୍ୟର ବିକାଶରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରଥମେ ଅତିଥିମାନେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଅବସରରେ ଏନ୍‌ଏସ୍‌ଏସ୍‌ର ଶ୍ରେଷ୍ଠ କୋଅଡିନେଟର୍ ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଧ୍ୟାପକ ସତ୍ୟଜିତ ଦାସଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପରିଡ଼ା ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟିଂ ଡକ୍ଟର ସୁଶୀଳ କୁମାର ବାଗ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ଟ୍ରଷ୍ଟି ମଧୁସ୍ମିତା ବାଗ୍‌, ସାମ୍ବାଦିକ ଦେବବ୍ରତ ପୋଢ଼, ବବୁଲୁ ବିଶ୍ୱାଳ, କାହ୍ନୁଚରଣ ବିଶ୍ୱାଳ, ଅଜୟ କୁମାର ସାହୁ, ଅନୁପମା ବିଶ୍ୱାଳ, ସୁମିତ୍ରା ସାହୁ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ‘ସ୍ୱୟଂସିଦ୍ଧା’ର ସଂପାଦନା ସହଯୋଗୀ ଅଧ୍ୟାପକ ସତ୍ୟଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply