ନବନୀତା ବ୍ୟୁରୋ। ଓଡ଼ିଶାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏପରିକି ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୫୯୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏବଂ ୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସର୍ବାଧିକ ରୋଗୀ ଗଞ୍ଜାମରେ ୭୩୨ ଓ ଖୋର୍ଦ୍ଧା ଜିଲ୍ଲାରେ ୩୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଥିବା ବେଳେ ମୃତକ ସଂଖ୍ୟା ୧୨୦ ଛୁଇଁଛି।

ଏପଟେ ପଶ୍ଚିମ ଓଡ଼ିଶାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗୋଟିଏ ଦିନରେ ୧୩୮ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୫୬, ବୌଦ୍ଧରେ ୪୧, ସମ୍ବଲପୁରରେ ୧୩, ଝାରସୁଗୁଡା ଓ ବରଗଡ଼ରେ ୮ ଲେଖାଏଁ, ବଲାଙ୍ଗିର ଜିଲ୍ଲାରେ ୬, ସୋନପୁରରେ ୪ ଏବଂ କଳାହାଣ୍ଡି ଓ ନୂଆପଡାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୨୫୯୮କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ୧୮୮୮ ଜଣ ସୁସ୍ଥ ହୋଇଥିବା ବେଳେ ୭୦୪ ଜଣ ସକ୍ରିୟ ରୋଗୀ ରହିଛନ୍ତି। ତେବେ ଏଯାଏ କରୋନାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରୁ ୧୦ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ୮ ଜିଲ୍ଲାରେ ଶତକ, ଦ୍ଵି ଶତକ,ତ୍ରି ଶତକ ଡେଇଁ ସାରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ହଜାରେ ଛୁଇଁବାକୁ ବସିଲାଣି। ଏବେ ଜାଣିବା କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରଥମେ ନଜର ପକାଇବା ସୁନ୍ଦରଗଡ଼ ଜିଲ୍ଲାରେ। ଏହି ଜିଲ୍ଲା ସମଗ୍ର ପଶ୍ଚିମ ଓଡ଼ିଶାର ଶୀର୍ଷରେ ରହିଛି। ଏଯାଏ ୯୭୩ ରୋଗୀ ଚିହ୍ନଟ ହେବା ସହ ୨ ଜଣଙ୍କ ମୃତ୍ୟୁ ଘଟିଛି। ୭୩୧ ଜଣ ସୁସ୍ଥ ହୋଇଥିବା ବେଳେ ୨୩୭ ଜଣ ସକ୍ରିୟ ରୋଗୀ ରହିଛନ୍ତି। ତା ତଳକୁ ରହିଛି ବରଗଡ଼ ଜିଲ୍ଲା। ଚିହ୍ନଟ ୩୩୧ରୁ ୨୨୩ ସୁସ୍ଥ, ୧୦୭ ସକ୍ରିୟ ଓ ଜଣକ ଜୀବନ ନେଇଛି କରୋନା। ବଲାଙ୍ଗିରରେ ୩୦୪ରୁ ୨୬୬ ସୁସ୍ଥ, ୩୮ ସକ୍ରିୟ, ସମ୍ବଲପୁରରେ ୨୪୭ରୁ ୧୧୯ ସୁସ୍ଥ, ୧୨୮ ସକ୍ରିୟ, ଝାରସୁଗୁଡାରେ ୨୭୧ରୁ ୧୯୯ ସୁସ୍ଥ, ୭୨ ସକ୍ରିୟ, ବୌଦ୍ଧରେ ୧୨୩ରୁ ୫୩ ସୁସ୍ଥ, ୭୦ ସକ୍ରିୟ,କଳାହାଣ୍ଡିରେ ୧୧୦ରୁ ୮୨ ସୁସ୍ଥ, ୨୮ ସକ୍ରିୟ, ନୂଆପଡାରେ ୧୦୨ରୁ ୧୦୦ ସୁସ୍ଥ, ୨ ସକ୍ରିୟ, ଦେବଗଡରେ ୬୯ରୁ ୬୬ ସୁସ୍ଥ, ୩ ସକ୍ରିୟ ଓ ସୋନପୁରରେ ୬୮ରୁ ୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯ ଜଣ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଏଯାଏ ରାଜ୍ୟରେ ୨୨,୬୯୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏବଂ ୧୨୦ ଜଣଙ୍କ ଜୀବନ ନେଇ ସାରିଲାଣି ଘାତକ କରୋନା। ୧୪,୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮,୧୪୭ ଜଣ ସକ୍ରିୟ ରୋଗୀ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
