ନବନୀତା ବ୍ୟୁରୋ। ନିତିସଞ୍ଜରେ ବିହାରୀଟୋକା ରାହୁଲର ପାନଦୋକାନ ସାମ୍ନାରେ ଆମର ଖଟି। ଷ୍ଟେସନଛକଠାରୁ କିଛିଦୂରରେ ଗୋଟେ ନିଛାଟିଆ ବଉଳଗଛ ମୂଳରେ ତା ଗୁମୁଟି। ଆଗରେ ଚାଳିଆତଳେ ଦୁଇଟିବେଞ୍ଚ। ସେଇଠି ବସି ପାନ ଚୋବାଇ, ସିଗାରେଟ ଧୂଆଁ ଛାଡ଼ି ଆମେ ଦୁନିଆ ଗପ ମାରୁ।
ନିବାରଣ, ଗଙ୍ଗାଧର, ଶ୍ରୀଦେବ, ସୀତାଂଶୁ, ଦିଲୀପ ସମସ୍ତେ ଯେ ଝା କାମସାରି ଠିକବେଳରେ ଖଟିରେ ପହଞ୍ଚିଯାନ୍ତି। କାହାର ଗପ, କବିତା କେଉଁଠି ବାହାରିଛି, କେମିତି ହେଇଛି, ସାହିତ୍ୟରେ ବେପାର, ପୁରସ୍କାର ପାଇଁ ଲଵି, ରାତିରେ ଲେଖୁଛି ବୋଲି କିଏ ସଙ୍ଗମ ଛାଡ଼ିଦେଇଛି, ବୟସ୍କ ଅଧ୍ୟାପକ ଯୁବତୀ କବିଙ୍କୁ ନେଇ ମାତିଛନ୍ତି ଏସବୁ ସହିତ ରାଜନୀତି, ଖେଳ, ଶୃଙ୍ଗାର ଚର୍ଚ୍ଚା ବି ଚାଲେ।
ଯେଉଁଦିନର କଥା ଏବେ ମୁଁ କହୁଛି ସେଦିନ ବେଳବୁଡ଼ରୁ ବର୍ଷା। ସଞ୍ଜକୁ ରାସ୍ତାଉପରେ ଆଣ୍ଠୁଏ ପାଣି। ଛତା ମୁଣ୍ଡାଇ ପେଣ୍ଟ ଟେକି ଖଟିଜାଗାରେ ପହଞ୍ଚି ଦେଖିଲି କେହି ନାହିଁ। ରାହୁଲର ପାନ ଦୋକାନ ବି ବନ୍ଦ। ଲାଇନ ନାହିଁ। ଚାରିଆଡ଼େ ଅନ୍ଧାର। ରାସ୍ତାରେ କାଁ ଭାଁ ଗାଡ଼ି ଯାଉଛି।
ମୁଁ ଦିଲୀପକୁ ଫୋନ କଲି। ତା ଘର ସେଇଠି। ସେ ଛତା ଧରି ଆସିଲା। ପକେଟରୁ ସିଗାରେଟ, ଦିଆସିଲି କାଢ଼ି ମୋତେ ଦେଲା। ଆମେ ଚାଳିଆ ତଳେ ବସି ମହାଆନନ୍ଦରେ ଛାତିରେ ଧୂଆଁ ପୂରାଇଲୁ।
ଦିଲୀପ କହିଲା, ଏଇ ପାଖରେ ଯେଉଁ ପୋଷ୍ଟଅଫିସ ଅଛି ତା ହତାଭିତରେ କଣ ହୁଏ ଜାଣିଛୁ?
କଣ? ମୁଁ ପଚାରିଲି।
ମୁଁ ତ କେବେ ଦେଖିନି, ଯାହା ଶୁଣିଛି।
କଣ ଶୁଣିଛୁ?
ଚାଲ, ଦେଖିବା। ଆଜି ବୋଧେ ହେଉଥିବ।
ବର୍ଷା ପୂରା ଥମିନାହିଁ। ଟିପ ଟିପ ପଡୁଛି। ଚାଳିଆ ତଳୁ ବାହାରି ଆମେ ଆଗକୁ ଚାଲିଲୁ। ପୋଷ୍ଟ ଅଫିସ ଗେଟ ଖୋଲି ଭିତରେ ପଶିଲୁ। ଦିଲୀପ ଫିସ ଫିସ କରି କହିଲା, ଚୁପଚାପ ମୋ ପଛରେ ଆ।
ପୋଷ୍ଟ ଅଫିସ ଉତ୍ତର ଦିଗ ଗଳି ରାସ୍ତାରେ ଆମେ ପଛ ପଟକୁ ଗଲୁ।
ଗଳି ଶେଷମୁଣ୍ଡରେ ଠିଆହୋଇ ସେ ବାରଣ୍ଡାକୁ ଉଙ୍କି ମାରିଲା। କହିଲା, ହଁ ଚାଲିଛି।
କଣ ଚାଲିଛି?
ତୁ ଦେଖ l
ମୁଁ ଉଙ୍କିଲି। ମୋତେ କିଛି ଦିଶିଲା ନାହିଁ।
ହେଃ, କିଛି ନାଇଁ ତ।
ସେ କହିଲା, କାନ ଡେରି ଶୁଣ।
ମୁଁ କାନ ଡେରିଲି। ହଁ, କିଛି ଶୁଭୁଛି।
ଚୁଡ଼ି ଝୁଣଝୁଣ, ଫିସଫିସ କଥା ଆଉ କିଛି ଅସ୍ପଷ୍ଟ ଶବ୍ଦ।
ଚାଲ, ଶଳାଙ୍କୁ ଆଜି ଧରିବା। ସବୁଦିନ ଏଠି ଗୋଟେ ନାଟ ଲଗେଇଛନ୍ତି।
ଦିଲୀପ ଆଗ କୁଦିପଡ଼ିଲା ବାରଣ୍ଡାକୁ। ପଛରେ ମୁଁ । ଏ ମୁଣ୍ଡରୁ ସେମୁଣ୍ଡ ଦିଘେରା ବୁଲିଆସିଲୁ। କେହି କେଣେ ନାହିଁ। ନଇଁପଡ଼ି ଅଣ୍ଡାଳିଲୁ। ହାତରେ ପଡ଼ିଲା କିଛି ଭଙ୍ଗା ଚୁଡ଼ି, ଖଣ୍ଡେ ଚିରା ଶାଢ଼ି।
ସେମାନେ ଗଲେ କୁଆଡ଼େ? ବାହାରକୁ ଯିବାକୁ ତ ଆଉ ବାଟ ନାହିଁ।
ହଠାତ ଆମେ ଚମକିପଡ଼ିଲୁ। ଫଡ଼ଫଡ଼ ହୋଇ କଣ ଗୋଟେ ଆମ ପାଖଦେଇ ଉଡ଼ିଗଲା। ଅଦୂରରୁ କଉଁଠୁ ଶୁଭିଲା ହୁଟହୁଟ ଶବ୍ଦ। ଦଳେ କୁକୁର ବିକଳ ସ୍ୱରରେ ଭୁକି ଉଠିଲେ। ଦଲକାଏ ଶୀତଳ ପବନ ଆମକୁ ଛୁଇଁ ବହିଗଲା। ଅନ୍ଧାରରେ ଅଣ୍ଡାଳି ମୁଁ ଦିଲୀପର ହାତକୁ ଧରିନେଲି।
ହଠାତ ଦୁଲ କରି କଣ ଗୋଟେ ଭାରି ଜିନିଷ ଖସି ପଡ଼ିଲା ବାରଣ୍ଡାରେ।
ମୋ ବୋଉଲୋ, ଧରାପରା ହୋଇ ସେଠାରୁ ବାହାରି ଆସିବା ବେଳକୁ ଆମେ ଦି ତିନି ଥର ଝୁଣ୍ଟିପଡ଼ିଲୁ।
ସେତେବେଳକୁ ବର୍ଷା ଛାଡ଼ି ଯାଇଛି। ରାସ୍ତାରେ ଉଜ୍ଜ୍ୱଳ ଆଲୋକ ଜଳୁଛି। ଗାଡ଼ି ମୋଟର ଯାଉଛି। ଖଟିଜାଗାରୁ କଥା ଓ ହସ ଶୁଣା ଯାଉଛି। ସମସ୍ତେ ଆସିଛନ୍ତି।
ଆମକୁ ଦେଖି ପଚାରିଲେ, କୁଆଡ଼େ ଯାଇଥିଲ ବେ?
କଉଁଠୁ କିଛି ମିଳିଗଲା କି?
ଶଳା, ଆମେ ଏଠି ବସି ବୋର ହେଉଛୁ। ତୁମେ ସେ ଭୂତଖାନାରେ କଣ କରୁଥିଲ ???
ବାଲେଶ୍ୱର
ମୋ: ୬୩୭୦୬୬୧୧୪୭
