ଲୋକପ୍ରିୟ ଗାଳ୍ପିକ ଅଞ୍ଜନ ଚାନ୍ଦଙ୍କ ଚମତ୍କାର ଗପ ଡର, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଦୁର୍ଯୋଗ ମୋ ପିଛା ଛାଡ଼ୁନଥିଲା।
‎ବସ ଷ୍ଟପେଜରୁ କିଛି ବାଟ ଯାଇଛି ଲାଇନ ଚାଲିଗଲା।
ଆକାଶରେ ଗୁର୍ଗୁର ହେଉଛି କଳାମେଘ। ପୃଥିବୀର ଅନ୍ଧାରକୁ ନିବିଡ଼ କରିଛି।
‎କେଉଁଠି ବୋଧେ ଅସରାଏ ବର୍ଷିଯାଇଛି, କୋହଲା ପବନ ବହୁଛି।
‎ବଜାରରୁ ସଉଦା ସାରି ଫେରିଯାଇଛନ୍ତି ଗରାଖମାନେ। ଦୋକାନୀମାନେ ସଟର ଟାଣିବାରେ ବ୍ୟସ୍ତ।
‎ରାସ୍ତାରେ ଗାଡ଼ି ମୋଟର ନାହିଁ। ଚାଡ଼ିଆଡ଼େ କିଟିମିଟି ଅନ୍ଧାର। ତା ଭିତରେ ଭୂତଟିଏ ପରି ମୁଁ ଘରକୁ ଧାଇଁଛି।
‎ଅଫିସରେ ଭାବିଥିଲି ଆଜି ସଅଳ ଘରକୁ ଫେରିବି। ଠିକ ବେଳରେ ପଡ଼ିଲି ବଡ଼ବାବୁଙ୍କ କବଳରେ। ସେଠାରୁ ମୁକୁଳିବା ବେଳକୁ କେଉଁଠି ଥିଲା ଚକଳେ ମେଘ ଆମ ଅଫିସ ଉପରେ ଠିଆ ହୋଇ ଅବିରାମ ବର୍ଷିଲା।
‎ଶେଷ ବର୍ଷାବିନ୍ଦୁଗୁଡ଼ିକୁ ଖାତିର ନକରି ଷ୍ଟାଣ୍ଡକୁ ଧାଇଁଲି। ପଛରୁ ମୋ ଆର୍ତ୍ତଚିତ୍କାର ଶୁଣିନପାରି ସନ୍ଧ୍ୟା ବସଟା ଆଗକୁ ଚାଲିଗଲା। ପର ବସଟି ଆସିଲା ଘଣ୍ଟାଏ ପରେ। ବାଟରେ ପୁଣି ତା ଚକା ଫାଟିଲା। ଘରକୁ ସଅଳ ଫେରିବାକୁ ଥିବା ଲୋକ ଗାଡ଼ିରୁ ଓହ୍ଲାଇଲା ରାତି ସାଢ଼େ ୯ଟାରେ।
‎ପଛରେ କିଏ ଗୋଟେ ଆସୁଛି କି?
‎ପଟ ପଟ ଶବ୍ଦ ଶୁଭୁଛି।
ମୁଁ ଫେରି ଚାହିଁଲି।
‎କିଛି ଦୂରରେ ଲମ୍ବା ଛାଇଟିଏ।
‎ଏଇଟା ମଣିଷ ନା ଦୁର୍ବୃତ୍ତ?
‎ମୋତେ ଅନୁସରଣ କରୁଛି କି?
‎ଜାଣିଛି କି ମୋ ପକେଟରେ ବିଡ଼ାଏ ନୋଟ ଅଛି?
‎ପକେଟକୁ ହାତରେ ଚାପି ଧରି ମୁଁ ଧାଇଁବାପରି ଚାଲିଲି।
‎ମୋ ନିଃଶ୍ବାସ ପ୍ରଖର ହେଲା। ଛାତିର ସ୍ପନ୍ଦନ ବଢ଼ିଲା। ମୁଁ ଥକିପଡ଼ିଲି। ଭାବିଲି ତାଠାରୁ ଦୂରକୁ ଚାଲିଆସିଛି। ସେ ଆଉ ନଥିବ ପଛରେ।
ବିଶ୍ୱାସରେ ଫେରି ଚାହିଁଲି।
‎ଲୋକଟା ସମାନ ଦୂରତାରେ ମୋ ପଛରେ ଚାଲିଛି।
‎ଭୟର ସୁଅଟିଏ ମୋ ଦେହରେ ବହିଗଲା।
‎ଲୋକଟା ମନରେ ନିଶ୍ଚୟ ଖରାପ ଉଦ୍ଦେଶ୍ୟ ଅଛି। ମଉକା ମିଳିଲେ ମାରଣାସ୍ତ୍ର ଦେଖାଇ ଲୁଟିନେବ।
‎ମୋ ବାଁପଟେ ସଟରବନ୍ଦ ଧାଡ଼ିଏ ଦୋକାନ ।ବାରଣ୍ଡାରେ କେତୋଟି କୁକୁର କୁଣ୍ଡଳି ମାରିଛନ୍ତି ।ଡାହାଣପଟେ ପିଲାଙ୍କ ବଗିଚା।
‎ଦୀର୍ଘ କୋଡ଼ିଏ ବର୍ଷ ଧରି ଏ ସହର ମୋର ପରିଚିତ।
‎ମୋ ଗାଁ ମୋତେ ଭୁଲିସାରିଛି।
‎ଏବେ ମୁଁ ଏଠିକାର ସାହିଲୋକ।
‎ମନରେ ସାହସ ଆସିଲା।
‎କଉଁ ସନ୍ଧିରେ ଗଳି ଚାଲିଯିବି ସେ ଜାଣିପାରିବନାହିଁ
‎ହଁ ଏଇଠି, ବଗିଚାର ତାର ବାଡ଼ କଟାଯାଇଛି।
‎ରାସ୍ତାରୁ ଖସିଯାଇ ସେଇ ବାଟରେ ମୁଁ ଭିତରେ ପଶିଲି। ଫୁଲ ବୁଦାଭିତରେ ନଇଁ ନଇଁ ସେପଟକୁ ଚାଲିଗଲି।
‎ସେପଟେ ପାଚେରୀ। ପାଚେରୀତଳେ ବଡ଼ ଗୋଟେ କଣା  ତା ଭିତରେ ପଶି ମୁଁ ରାସ୍ତାକୁ ବାହାରିଗଲି।
‎କିଛି ବାଟ ଯାଇ ପଛକୁ ଚାହିଁଲି।
‎ହେ ଭଗବାନ, ସୁଦୀର୍ଘ କଳାଛାଇଟା ପିଶାଚପରି ଗୁରୁଣ୍ଡି ଗୁରୁଣ୍ଡି ପାଚେରୀଭିତରୁ ବାହାରୁଛି।
‎ମୁଁ ଆଗକୁ ଧାଇଁଲି। ପାତ୍ରବାବୁଙ୍କ ଘର ପଛପଟ ଛୋଟ ପାଚେରୀ ଡେଇଁ ଭିତରେ ପଶିଲି।
‎ଘରଭିତରୁ ପାଟି ଶୁଭୁଛି। ମୁଁ କାନେଇଲି। ଗାଁ କଥା ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଚାଲିଛି।
‎ଆଗପଟ ଗେଟ ଖୋଲି ମୁଁ ରାସ୍ତାକୁ ବାହାରିଗଲି।
‎ସେତେବେଳେ ଲାଇନ ଆସିଗଲା। ବିଧାୟକଙ୍କ ପାଣ୍ଠିରୁ ଲାଗିଥିବା ବିଜୁଳିବତୀରେ ରାସ୍ତା ଘାଟ ଚକ ଚକ ଦିଶିଲା
‎ଆଗରେ ଛକ। କ୍ଲବ ଘର। ପିଲାଙ୍କ ପାଟି ଶୁଭୁଛି। ସେଇଠୁ ମୋ ଘରର ବାଲକୋନୀ ଦିଶେ।
‎ମନରେ ସାହସ ଆସିଲା। ମୁଁ ଠିଆ ହୋଇ ପଛକୁ ଚାହିଁଲି। ଲୋକଟା ପାଖେଇ ଆସୁଛି। ତା ପାଦର ରବର ଚଟି ପଟ ପଟ କରୁଛି। ପତ୍ଲୁମ ଉପରେ ଢିଲା ପଂଜାବୀ ପିନ୍ଧିଛି। ହାତରେ ଗୋଟେ ବଡ଼ ବେଗ ।ଆର ହାତରେ ବେତ ବେଣ୍ଟର ବଡ଼ ଛତା।
‎କିଏ ତୁମେ? ମୋ ପଛରେ କାହିଁକି ପଡ଼ିଛ?
‎ଦିପାଦ ଆଗକୁ ଯାଇ ମୁଁ ପଚାରିଲି।
‎ବେଗଟିକୁ ତଳେ ରଖି ସେ ନିଶ୍ଵାସ ନେଲା। କହିଲା, ମୁଁ ହଳଧର। ଏଠାକୁ ନୂଆ ଆସିଛି। ବସରୁ ଓହ୍ଲାଇ ରାମବାବୁଙ୍କ ଘରକୁ ବାଟ ପଚାରୁଛି, ଜଣେ ବାବୁ ଆପଣଙ୍କୁ ଦେଖାଇଦେଲେ। କହିଲେ, ତାଙ୍କ ପଛରେ ଚାଲିଯାଅ,ରାମବାବୁଙ୍କ ଘର ପାଇଯିବ।
‎ତା କଥା ଶୁଣି ମୁଁ ଆଶ୍ୱସ୍ତ ହେଲି।
‎ହେଲେ ବାବୁ, ସେ ପଚାରିଲା, ଆପଣ କଣ ସବୁଦିନ ରାତିରେ ଏମିତି ଗାତରେ ଗଳି, ପାଚେରୀ ଡେଇଁ, ଲୋକଙ୍କ ବାଡ଼ିରେ ପଶି ନିଜ ଘରକୁ ଫେରନ୍ତି?
‎ ============
‎ ବାଲେଶ୍ୱର
‎ ଫୋନ – 6370661147