ନବନୀତା ବ୍ୟୁରୋ। ଯାହା ହେଉ ଶେଷରେ ସାମ୍ବାଦିକଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ତେବେ ଜୀବିତ ଅବସ୍ଥାରେ ନୁହେଁ, ଯଦି ମୃତ୍ୟୁ ହୁଏ ତାହେଲେ ଏହି ସୁବିଧା ମିଳିବ। କରୋନାରେ ଆକ୍ରାନ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା। ଏହାକୁ ସାମ୍ବାଦିକଙ୍କ ପ୍ରତି ଅଦ୍ଭୂତପୂର୍ବ ଦରଦ କୁହାଯିବ ନାହିଁ କି? କାରଣ ସବୁବେଳେ ଅନ୍ୟ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶାର କଥା ଲୋକ ଲୋଚନକୁ ଆଣୁଥିବା ସାମ୍ବାଦିକ ଖୋଦ୍ ନିଜ ଅନ୍ତରର ପୀଡ଼ା କାହା ପାଖରେ ବଖାଣି ପାରେନି। ଏପରିକି ନିଷ୍ଠାର ସହ କାର୍ଯ୍ୟ କଲେ ମଧ୍ୟ କମ୍ପାନୀ ତାର ବେଦନା ବୁଝି ପାରେ ନାହିଁ। ଫଳରେ ସଦାସର୍ବଦା ଶୋଷୀତ ହୋଇ ମାନସିକ ନିର୍ଯାତନା ଭୋଗେ। ଦୂର ପାହାଡ଼ ସୁନ୍ଦର.. ଭଳି ବଡ଼ ବଡ଼ ମିଡିଆ କମ୍ପାନୀର ଅବସ୍ଥା। ଏଭଳି ସ୍ଥିତିରେ ବି ସାମ୍ବାଦିକ ନିଃସ୍ଵାର୍ଥପର ଭାବେ ନିଜ କର୍ତ୍ତବ୍ୟ କରି ଚାଲିଛି।
ଏବେ ମହାମାରୀ କରୋନା ଯୋଗୁଁ ସାରା ଦେଶ ବିରାଟ ସ୍ଵାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛି। ଏଭଳି ସ୍ଥିତିରେ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ କଠିନ ପରିସ୍ଥିତିରେ ନିଷ୍ଠାର ସହିତ ସାମ୍ବାଦିକମାନେ କାର୍ଯ୍ୟ ତୁଲାଉଛନ୍ତି। ନିଜ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧା ସାଜିଛି ସାମ୍ବାଦିକ। ବିଭିନ୍ନ ଅଞ୍ଚଳ ବୁଲି ଟିକିନିକି ଖବର ଦେବା ସହ ନିଜ ଜୀବନକୁ ପରୱା ବି କରୁ ନାହାନ୍ତି। ଏତିକି ବେଳେ ଏହି ସାମ୍ବାଦିକଙ୍କ ପ୍ରତି ଟିକେ ଦରଦ ଦେଖାଇଲେ ସରକାର। ତାହା ପୁଣି ଜୀବିତ ଅବସ୍ଥାରେ ନୁହେଁ, ମୃତ୍ୟୁ ପରେ ପରିବାର ଲୋକେ ପାଇବେ ଆର୍ଥିକ ସହାୟତା।

ଏନେଇ ସାମ୍ବାଦିକଙ୍କ ପ୍ରତି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଯଦି ମୃତ୍ୟୁ ହୁଏ, ତାହେଲେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ଲାଗି ଆର୍ଥିକ ସହାୟତା ପାଇଁ ସାମାଜିକ ଗଣମାଧ୍ୟମରେ ଅନେକ ମିଡିଆ କର୍ମଚାରୀ ଦାବି କରିଥିଲେ। ଶେଷରେ ଆଜି ସାମ୍ବାଦିକଙ୍କ ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନାଯୋଗ୍ୟ ଯେ, କରୋନାରେ ସ୍ଵାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହେଲେ, ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ଆଗରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
