ପଢନ୍ତୁ ଲେଖକ ଅରବିନ୍ଦ ପରିଡ଼ାଙ୍କ ଗପ କୋଭିଡ୍-୧୯

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସକାଳୁ ସକାଳୁ କକର୍ଚ୍ଛନିଆ ହେଇ ପତ୍ନୀ ନିଦରୁ ଉଠେଇ ଦେଲେ। ଘରଠୁ କୋଡ଼ିଏ କିଲୋମିଟର ଦୂର ଗୋଟେ ଜାଗାକୁ ଯାଇ କିଛି ଜିନିଷ ଆଣି ସାତଟା ସୁଦ୍ଧା ଘରକୁ ଫେରିବାର ଥିଲା, ସେଥିପାଇଁ। ଲକ୍ ଡାଉନ୍ ଚାଲିଚି। କାଳେ ବାଟରେ କୋଉଠି ପୁଲିସ ଅଟକେଇବ – ତାଙ୍କର ଡର।

ଅଗତ୍ୟା କୁନ୍ଥୁ କୁନ୍ଥୁ ହୋଇ ଉଠି ତରବରରେ ନିତ୍ୟକର୍ମ ସାରି ଚା ପିଇ ଗାଡ଼ି ଧରି ବାହାରି ପଡ଼ିଲି। ଘରଠୁ ଦୁଇ କିଲୋମିଟର ଯାଇଛି କି ନାହିଁ, ପ୍ରବଳ କୁହୁଡ଼ି। ମୁହଁକୁ ମୁହଁ ଦିଶୁନି। ଗାଡ଼ି ଲାଇଟ୍ ଦେଇ ଧୀରେ ଧୀରେ ଚଲେଇ ଠିକଣା ଯାଗାରେ ପହଞ୍ଚିଲା ବେଳକୁ ସାର୍ଟ ପ୍ୟାଣ୍ଟ ପୂରା ଓଦା। ହେଲେ ବହୁତ ମଜା ଲାଗୁଥାଏ ବୋଧହୁଏ ଦଶ ପନ୍ଦର ବର୍ଷ ପରେ ଏମିତିକା ମଉକାଟିଏ ପାଇ ଥିବାରୁ କୁହୁଡ଼ି ପହଁରାର।
ଜିନିଷ ରେଡି ଥିଲା। ତେଣୁ ଯୋଉ କାମରେ ଯାଇଥିଲି, ସେଇଟା କୁହୁଡ଼ି ପହଁରା ସାବ୍ୟସ୍ତ ହୋଇ ନଥିଲା ଆଦୌ। ଏଥର ଘରମୁହାଁ ହେଲି। ମୁଖ୍ୟ ରାସ୍ତା କଡ଼େ କଡ଼େ ତ କେନାଲ। ସେଥିରେ ଅଳ୍ପ ପାଣି।କୁହୁଡ଼ି କାକରକୁ ଖାତିରି ନ କରି ରାସ୍ତା କଡ଼ ଗୋଟେ ଗାଆଁର କିଛି ଲୋକ ସକାଳୁ ସକାଳୁ ଲାଗି ପଡ଼ିଛନ୍ତି ମାଛ ଧରିବାରେ। ରାତିରେ ବନ୍ଧ କରି ଦେଇଥିଲେ। ଭୋରୁ ଭୋରୁ ପାଣି ବୋହି ସାରି ମାଛ ଧରୁଥାନ୍ତି। କେନାଲ ବନ୍ଧରେ ଜଣେ ସତୁରୀ ପାଖାପାଖି ବୟସର ଲୋକ ବସି ମାଛ ଧରାଳୀମାନଙ୍କୁ ଏଇଟା କର, ସେଇଟା କର, ହେଇରେ ନୋକା ସେ ସିଙ୍ଗି ମାଛଟା ଡେଇଁ ପଳେଇବ, ତାକୁ ଧର – ଏମିତି ସବୁ ନିର୍ଦ୍ଦେଶ ଦେଉଥାନ୍ତି ନାଚ ପାର୍ଟିର ମାଷ୍ଟର ଓରଫ ନିର୍ଦ୍ଦେଶକଙ୍କ ଭଳିଆ। ପରିଧାନ ଖୋର୍ଦ୍ଧା ଗୋପିକିଶନ ମାର୍କା ପାଞ୍ଚହାତି ପାକେଲା ନାଲି ଗାମୁଛା ଖଣ୍ଡେ ଆଉ କାନ୍ଧରେ ପଡ଼ିଛି ସେଇ ମାର୍କା ଚାରିହାତି ଖଣ୍ଡେ। ମୁଣ୍ଡରେ ଜବରଦସ୍ତ ରାମାନନ୍ଦୀ ତିଳକ। କାକସ୍ନାନ କରି ସାରି ଥିବାର ସୂଚନା। ଏବେ ବନ୍ଧ ଉପରେ ମାଛୁଆଳୀଙ୍କ ପାଖେ କରୁଛନ୍ତି ବକଧ୍ୟାନ।
ଗାଡ଼ି ଅଟକେଇ କହିଲି – ମଉସା, କୋଭିଡ୍ – ୧୯ ରୋଗ ଯୋଗୁଁ ପାଞ୍ଚ ସାତ ଜଣ ଏକାଠି ନ ହେବାକୁ, ଲୋକମାନଙ୍କ ଭିତରେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଲକ୍ ଡାଉନ୍ କରିଛନ୍ତି। ଆପଣ ଏତେ ଲୋକଙ୍କୁ ମତେଇ ଏ କ’ଣ କରୁଛନ୍ତି? ଟିଭି, ରେଡିଓରେ ଏତେ କୁହା ହଉଚି। ଆପଣମାନେ ବୁଝୁ ନାହାନ୍ତି କାହିଁକି? ପୁଲିସ ଆସିଲେ ଆପଣଙ୍କ ଅବସ୍ଥା କ’ଣ କରିବ ଜାଣିଛନ୍ତି ଟି?
ମୁହଁ ବୁଲେଇଲେ ମଉସା।ତାଚ୍ଛଲ୍ୟ ହସଟିଏ ହସିଦେଇ ମୋ ଆଡ଼କୁ କଟମଟ ଚାହାଣୀରେ ଚାହିଁ କହିଲେ – ହୋ ବାବୁ, ତେମେ କ’ଣ ଆମକୁ ଅଠର ଓଲା ଭାବିଲ? ଦି’ ହଜାର କୋଡ଼ିଏରେ ଆମେ କ’ଣ ମୁରୁଖ ଅଛୁ ଯେ ତେମେ ଆମକୁ ପୁଲିସ, କୋବିଦ – ୧୯ ଦେଖଉଛ? ଆମେ ବି ଆମ ସମୟର ଅଣ୍ଡର ମେଟ୍ରିକ୍ ମ। ପୁରୋହିତି ବିଦ୍ୟା, ଗୁଣି ଗାରେଡ଼ି ଆମକୁ ସବୁ ମାଲୁମ। ଆମେ ହେଲୁ ଗାଁ କୋବିଦ, ସହରୀ ଡାକତର କି ବଇଦ ନୁହଁ ଯେ କାହାକୁ ଡରିବୁ? ଚୁନାମାଛ ଖାଉଛୁ, ତମ ଭଳିଆ ଆନ୍ଧେରା ମାଛ ଖାଉନହୁଁ ଯେ ଦିହରେ ତାକତ ନଥବ କି ଚାଇନା ଜିନିଷ ବ୍ୟବହାର କରୁନହୁଁ ଯେ ସିଏ ପଠେଇଥବା ରୋଗ ଆମକୁ ହବ କି ସିଏ ପଠେଇଥବା ତୁଣ୍ଡି ଆମେ ମୁହଁରେ ବାନ୍ଧିବୁ। ହୋ ବାବୁ, କୋବିଦ ମାନେ କ’ଣ ଜାଣିଚ – ପଣ୍ଡିତ, ହେଲା? ଟିଭି, ରେଡୁଅରେ ଯୋଉମାନେ ଚାକିରି କରିଛନ୍ତି, ସେମାନେ ସେମିତି କହିବାକୁ ଦରମା ପାଉଛନ୍ତି। ସେମାନେ ସେମିତି ଗଜର ଗଜର ହୁଅନ୍ତୁ ଦିନ ରାତି। ଆମେ ଶୁଣିବା ଲୋକ ଶୁଣିବୁ। ଆମେ ଚେପାନାକିଆ ଚାଇନା ଲୋକ ନୁହଁ ଯେ କୋବିଦ ଫୋବିଦକୁ ଡରିବୁ। ଫୁଟ୍ କି ମାରି ଉଡ଼େଇ ଦବୁ, ବୁଝିଲ? ନିଜ ବାଟ ଦେଖ, ଆଇଲେ ଏଠିକି କୋବି – ଦ ଦେଖେଇବାକୁ! ହେଃ! ଡାହାଣ ହାତର ବୁଢ଼ା ଆଙ୍ଗୁଠି ଓ ମଝି ଆଙ୍ଗୁଠିରେ ମଉସା ଫୁଟକି ମାରିଲା ବେଳକୁ ଛାନିଆରେ ମୁଁ ମାରୁଥିଲି ଗାଡ଼ିର ସେଲଫ୍। ଭାବୁଥିଲି – ଯାହା ହେଲେ ବି ଆପନା ଗଲି ମେଁ କୁତ୍ତା ଭି ଶେର୍। ଅତଃ, ଯଃ ପଳାୟତି ସଃ ଜୀବତି।