ଦିଲ୍ଲୀ: ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳ ନେତା ନିର୍ବାଚିତ । ସଂସଦର ସେଂଟ୍ରାଲ ହଲରେ ଆୟୋଜିତ କଂଗ୍ରେସ ସଂସଦୀୟ ବୈଠକରେ ତାଙ୍କ ନା ଉପରେ ମୋହର ଲାଗିଛି । ବୈଠକରେ ଦଳର ସମସ୍ତ ୫୨ ସାଂସଦ ଓ ରାଜ୍ୟସଭା ସାଂସଦଙ୍କ ସହ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସଂସଦୀୟ ଦଳର ନେତା ନିର୍ବାଚିତ ହେବା ପରେ ସେ ଦେଶର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତୀୟଙ୍କ ଲାଗି ଲଢ଼ିବେ ବୋଲି କହିଥିଲେ । ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୈଠକରେ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ସମସ୍ତ ସଦସ୍ୟଙ୍କୁ ଗୋଟିଏ କଥା ମନେ ରଖିବା ଉଚିତ ଯେ, ଆମେ ସମସ୍ତେ ସମ୍ବିଧାନ ଓ ଭାରତୀୟଙ୍କ ଲାଗି ଲଢୁଛୁ ।
ସଂସଦର ସେଂଟ୍ରାଲ ହଲରେ ଆୟୋଜିତ ବୈଠକରେ ଲୋକସଭର ସମସ୍ତ ୫୨ ସାଂସଦଙ୍କ ସହ ରାଜ୍ୟସଭା ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆଙ୍କୁ ସଂସଦୀୟ ଦଳ ନେତା ଲାଗି ପ୍ରସ୍ତାବ ଦେଇଥିଲେ । ଏହାକୁ ସର୍ବସମ୍ମତି ଅନୁସାରେ ସ୍ୱୀକାର କରାଯାଇଥିଲା । ସଂସଦରେ ଥିବା ୫୪୩ ସାଂସଦଙ୍କ ମଧ୍ୟରୁ କଂଗ୍ରେସର ୫୨ ଜଣ ସାଂସଦ ଅଛନ୍ତି । ତେବେ ଲୋକସଭାରେ ବିପକ୍ଷ ନେତା ଲାଗି ୫୫ ସାଂସଦଙ୍କ ଆବଶ୍ୟକତା ରହିଛି । ଏହି କ୍ରମରେ କଂଗ୍ରେସ ପାଖରେ ୩ ଜଣ ସାଂସଦ କମ ଅଛନ୍ତି ।
ଏଥିସହ ଏ ଅବସରରେ ଆଗାମୀ ଲୋକସଭା ଅଧିବେଶନ ଲାଗି ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ପୂର୍ବରୁ ଅଧ୍ୟକ୍ଷ ପଦ ଛାଡ଼ିବା ଲାଗି ରାହୁଲ ଦେଇଥିବା ପ୍ରସ୍ତାବକୁ ଦଳୀୟ ନେତା ଗ୍ରହଣ କରିନଥିଲେ । ହେଲେ ବିଭିନ୍ନ ପିସିସିରେ ରାହୁଲଙ୍କ ଅଧ୍ୟକ୍ଷତା ନେଇ ପ୍ରସ୍ତାବ ପାରିତ ହୋଇଛି । ଅନ୍ୟପକ୍ଷରେ ଦଳୀୟ ସଂଗଠନରେ ରାହୁଲ କୌଣସି ପ୍ରକାରର ପରିବର୍ତନ କରି ପାରିବେ ବୋଲି ମଧ୍ୟ ପ୍ରସ୍ତାବ ହୋଇଛି ।
ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳ ନେତା ନିର୍ବାଚିତ
