ଭୁବନେଶ୍ୱର: ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବିଧାନସଭା ବାଚସ୍ପତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ଲାଗି ତାଙ୍କ ନା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ଏହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାପରେ ବାଚନିକ ଭୋଟରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା । ସୂର୍ଯ୍ୟ ପାତ୍ର ହେଉଛନ୍ତି ବିଧାନସଭାର ୨୨ତମ ବାଚସ୍ପତି । ହେଲେ ବାଚସ୍ପତି ନିର୍ବାଚନ ସମୟରେ ବିଜେପି ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ ।
ଚଳିତ ବର୍ଷକୁ ମିଶାଇ ସୂର୍ଯ୍ୟ ନାରାୟଣ ପାତ୍ର ମୋଟ ୭ ଥର ହେଲା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଜୁ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଥର ମନ୍ତ୍ରୀ ମଧ୍ୟ ରହିଥିଲେ ।
୧୯୭୭ ମସିହାରେ ବ୍ରହ୍ମପୁର ପୌରପରିଷଦରେ କାଉନସିଲର ଭାବେ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୦ରେ ସେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତା ପରେ କ୍ରମାଗତ ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ସୂର୍ଯ୍ୟ ପାତ୍ର । ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ ତୁଳାଇଥିଲେ । ପରେ ୨୦୦୦ ମସିହାରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ ସୂର୍ଯ୍ୟ । ହେଲେ ୨୦୧୯ରେ ନିର୍ବାଚିତ ହେବା ପରେ ସୂର୍ଯ୍ୟଙ୍କୁ ବିଜେଡି ପକ୍ଷରୁ ବାଚସ୍ପତି ହେବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ସୂର୍ଯ୍ୟ ନାରାୟଣ ପାତ୍ର ନିଜେ ମଧ୍ୟ ସ୍ୱୀକାର କରିଥିଲେ ।
ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବିଧାନସଭା ବାଚସ୍ପତି
