ବିହାରରେ ନୀତିଶଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ବିଜେପି-ଏଲଜେପିକୁ ମିଳିଲାନି ମନ୍ତ୍ରୀ ପଦ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ଦିଲ୍ଲୀ ନବନୀତା ବ୍ୟୁରୋ: କେନ୍ଦ୍ରର ବଦଳା ରାଜ୍ୟରେ । ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେବାମୁ ମନା କରିଥିବା ନୀତୀଶ କୁମାର ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବିଜେପିକୁ ସାମିଲ କରି ନାହାନ୍ତି । ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ମନ୍ତ୍ରିମଣ୍ଡଳକୁ ସଂପ୍ରସାରଣ କରିଛନ୍ତି । ଏଥିରେ ଜେଡିୟୁର ୮ ନେତା ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସମସ୍ତ ମନ୍ତ୍ରୀ ଜେଡିୟୁ କୋଟାରେ ମନ୍ତ୍ରୀ ହୋଇଛନ୍ତି । ହେଲେ ଏଥିରେ ବିଜେପି କିମ୍ବା ଏଲଜେପିର କୌଣସି ନେତାଙ୍କୁ ସାମିଲ କରାଯାଇନି । ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଅଶୋକ ଚୌଧୁରୀ, ନୀରଜ କୁମାର, ଲକ୍ଷେ୍ମଶ୍ୱର ରାୟ, ଶ୍ୟାମ ରଜକ, ରାମସେବକ ସିିଂ, ବୀମା ଭାରତୀ, ସଂଜୟ ଜା ଓ ନରେନ୍ଦ୍ର ନାରାୟଣ ଯାଦବଙ୍କୁ ସାମିଲ କରାଯାଇଛି ।
ଶନିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଲାଲଜୀ ଟଂଡନଙ୍କୁ ଭେଟି ମନ୍ତ୍ରିମଣ୍ଡଳ ବିସ୍ତାର ଉପରେ ଆଲୋଚନା କରିଥିଲେ । ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରାଜଭବନରେ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିଲା । ରାଜ୍ୟପାଳ ସମସ୍ତ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରିଥିଲେ ।
ନୀତୀଶ କ୍ୟାବିନେଟର ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହରେ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଜଳର ପ୍ରଦେଶ ଅଧ୍ୟକ୍ଷ ରାମଚନ୍ଦ୍ର ପୁର୍ବେ ମଧ୍ୟ ପହଂଚିଥିଲେ । ଏଥିସହ ଭାଜପା ନେତା ତଥା ବିହାର ସରକାରର ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦି ମଧ୍ୟ ଉପସ୍ଥିତ ଥିଲେ । ଏ ଅବସରରେ ରାମଚନ୍ଦ୍ର ପୁର୍ବେ କହିଛନ୍ତି, ନୀତୀଶ ସରକାର ସହ ବୈଚାରିକ ଲଢ଼ାଇ ଜାରି ରହିବ । ଏନେଇ ବିରୋଧୀ ନେତା ତେଜସ୍ୱୀ ଯାଦବ ନିଜ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ଜନତାଙ୍କ ଲାଗି ସଡ଼କରୁ ସଦନ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି ।..
କ୍ୟାବିନେଟ ସଂପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଜେଡିୟୁ କୋଟାର ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ତେଣୁ ଜେଡିୟୁ ନେତାଙ୍କୁ ମନ୍ତ୍ରିମଣ୍ଡଳ ବିସ୍ତାରରେ ସ୍ଥାନ ଦିଆଯାଇଛି । ବିଜେପି ସହ ଫାଟ ଭଳି ସେମିତି କିଛି ମୁଦ୍ଦା ନାହିଁ, ସବୁ କିଛି ଠିକ୍ଠାକ୍ ଚାଲିଛି । ସେପଟେ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋି କହିଛନ୍ତି, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କିଛି ସଂଶୟ ନାହିଁ । ଏନେଇ ନୀତୀଶଙ୍କ ସହ ଆଲୋଚନା ହୋଇଥିଲା । ଏବଂ ମୁଖ୍ୟମନ୍ତ୍ରୀ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ପୂରଣ ଲାଗି ବିଜେପିକୁ ଅଫର ଦେଇଥିଲେ । କିନ୍ତୁ ଏହା ଉପରେ ଆମେ ପରେ ଫଇସଲା ନେବାକୁ କହିଛନ୍ତି ସୁଶୀଳ ମୋଦି ।