ନବନୀତା ବ୍ୟୁରୋ। ସାରା ଦେଶରେ ହୋଲିର ଧୁମ୍। ସବୁଠି ଉତ୍ସାହ, ଉଦ୍ଦୀପନା ଓ ମାଦକତା। ରଙ୍ଗ ବିରଙ୍ଗର ଅବିର ଖେଳିବା ପାଇଁ ସମସ୍ତେ ମସଗୁଲ। ପରସ୍ପରକୁ ରଙ୍ଗ ଲଗାଇ ହୋଲି ଶୁଭେଚ୍ଛା ଜଣାଉଛନ୍ତି ଲୋକେ। ତେବେ ପ୍ରତିବର୍ଷ ଫାଲଗୁନ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଏ ଏହି ରଙ୍ଗର ପର୍ବ ହୋଲି। ହୋଲି ସହ ବିଭିନ୍ନ ପ୍ରକାର କାହାଣୀ ଜଡ଼ିତ। ସେ ମଧ୍ୟରୁ ପ୍ରହଲ୍ଲାଦ ଓ ହିରଣ୍ୟକଶ୍ୟପ କାହାଣୀ ଅନ୍ୟତମ।
ପୌରାଣିକ କଥା ବସ୍ତୁ ଅନୁସାରେ ଶକ୍ତିଶାଳୀ ରାଜା ହିରଣ୍ୟକଶ୍ୟପ ନିଜକୁ ଭଗବାନ ମାନୁ ଥିଲେ। ଏବଂ ସେ ଚାହୁଁଥିଲେ ଭଗବାନ ଭଳି ତାଙ୍କୁ ସମସ୍ତେ ପୂଜା କରନ୍ତୁ। ହେଲେ ନିଜ ପିତାର ଆଦେଶକୁ ଅବମାନନା କରି ତାଙ୍କ ଜାଗାରେ ଭଗବାନ ବିଷ୍ଣୁଙ୍କ ପୂଜା ଆରମ୍ଭ କଲେ। ଏଥିରେ ନାରାଜ ହୋଇ ହିରଣ୍ୟକଶ୍ୟପ ପୁତ୍ର ପ୍ରହଲ୍ଲାଦଙ୍କୁ ଅନେକ ଶାସ୍ତି ଦେଇଥିଲେ। ହେଲେ ଏହାସତ୍ତ୍ୱେ ମଧ୍ୟ ପ୍ରହଲ୍ଲାଦ ପ୍ରଭାବିତ ହୋଇନଥିଲେ। ଏହା ପରେ ହିରଣ୍ୟକଶ୍ୟପ ଓ ତାଙ୍କ ଭଉଣୀ ହୋଲିକା ମିଶି ଷଡଯନ୍ତ୍ର ରଚିଲେ। ହୋଲିକା ସହ ପ୍ରହଲ୍ଲାଦ ନିଆଁରେ ବସିବା ପାଇଁ ଚିନ୍ତା କଲେ। କାରଣ ହୋଲିକା ନିକଟରେ ଏଭଳି ଏକ କପଡ଼ା ଥିଲା ଯାହା ଶରୀରରେ ଢାଙ୍କିବା ପରେ କୌଣସି ପ୍ରକାର କ୍ଷତି ଘଟିବ ନାହିଁ। ଅନ୍ୟପଟେ ନିଜକୁ ବଞ୍ଚାଇବା ପାଇଁ ପ୍ରହଲ୍ଲାଦଙ୍କ ପାଖରେ କିଛି ନ ଥିଲା। ହେଲେ ନିଆଁ ଜଳିବା ମାତ୍ରେ ହୋଲିକାଠାରୁ କପଡ଼ା ଉଡି ପ୍ରହଲ୍ଲାଦ ଉପରେ ଘୋଡାଇ ହୋଇଗଲା। ଫଳରେ ପ୍ରହଲ୍ଲାଦଙ୍କ ଜୀବନ ରକ୍ଷା ହୋଇଥିବା ବେଳେ ହୋଲିକା ନିଆଁରେ ପୋଡ଼ି ପାଉଁଶ ହୋଇଗଲା। ଏଥିପାଇଁ ହୋଲି ପର୍ବକୁ ଖରାପ ଉପରେ ଭଲର ବିଜୟ ପ୍ରତୀକ ଭାବେ ପାଳନ କରାଯାଏ।
ହୋଲିକା ଦହନ ଦିନ ପବିତ୍ର ନିଆଁ ଜଳାଯାଏ, ଯେଉଁଥିରେ ଖରାପ୍, ଅହଙ୍କାର ଓ ନକାରାତ୍ମକତାକୁ ପୋଡ଼ା ଯାଏ। ତା ଆରଦିନ ଆମେ ଆମ ପ୍ରୀୟଜନଙ୍କୁ ରଙ୍ଗ ଲଗାଇ ଶୁଭକାମନା ଜଣାଇ ପର୍ବ ପାଳନ କରିଥାଉ। ତାସହ ନାଚ, ଗୀତ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପର୍ବ ପାଳି ଥାଉଁ। ରାସ୍ତା ଘାଟରେ ସାଙ୍ଗସାଥୀ ଓ ପରିବାରବର୍ଗଙ୍କୁ ଫଗୁ ମଖାଇ ଅଭିନନ୍ଦନ ଜ୍ଞାପନ କରୁ।
ତେବେ ଏଥର ସାରା ଦେଶରେ କରୋନା ଭାଇରସ ଆତଙ୍କ ଯୋଗୁଁ ସମସ୍ତେ ଆତଙ୍କିତ ହୋଇ ପଡିଛନ୍ତି। ରଙ୍ଗ ଖେଳିବା ପାଇଁ କେହି ଆଗ୍ରହ ପ୍ରକାଶ କରୁନଥିବାରୁ ସିଧା ପ୍ରଭାବ ପଡିଛି ଅବିର ବେପାର ଉପରେ। ହୋଲି ପୂର୍ବରୁ ଦୋକାନ ଖୋଲି ପସରା ମେଲାଇ ଥିଲେ ବି କିଛି ବିକ୍ରି ବଟା ନ ହୋଇ ନିରାଶ ହୋଇଛି ବ୍ୟବସାୟୀ। ଏଥିପାଇଁ କିଛି ଲୋକ ରଙ୍ଗ ପରିବର୍ତ୍ତେ ହଳଦୀ କିମ୍ବା ହର୍ବାଲ ହୋଲି ଖେଳିବାକୁ ମନ ବଳାଇଛନ୍ତି।
ତେବେ ହୋଲି ଖେଳିବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ ଟିପ୍ସ ଦେଇଛନ୍ତି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଅଧିକ୍ଷକ ମହେନ୍ଦ୍ର ନାଏକ। ଶୁଣନ୍ତୁ ସେ କଣ ପରାମର୍ଶ ଦେଉଛନ୍ତି।
ସେହିପରି ହୋଲି ଖେଳ ବେଳେ କଣ କରିବେ, କଣ ନ କରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ପରାମର୍ଶ ଦେଇଛନ୍ତି ଚର୍ମ ବିଶେଷଜ୍ଞ ଆର୍ ଆର୍ ଷଡ଼ଙ୍ଗୀ। ଶୁଣନ୍ତୁ ସେ କଣ କହୁଛନ୍ତି।
