ନବନୀତା ବ୍ୟୁରୋ। ଚୀନରେ ଵେକାବୁ ହେବାରେ ଲାଗିଛି କୋରୋନା ଭାଇରସ। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସହ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏବେ ସୁଦ୍ଧା ୯୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।
ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ସୂଚନା ଅନୁସାରେ ରବିବାର ଆହୁରି ୯୭ ଜଣଙ୍କ ମୃତ୍ୟୁ ଘଟିଛି। ତାସହ ୩୦୬୨ ନୂଆ ମାମଲା ସାମନାକୁ ଆସିଛି। ଆୟୋଗଙ୍କ ଅନୁସାରେ ଏଯାଏ ମୋଟ ୯୦୮ ଜଣଙ୍କ ମୃତ୍ୟୁ ହୋଇ ସରିଛି। ଏବଂ ୪୦,୧୭୧ ଜଣ ଲୋକ ସଂକ୍ରମିତ ହୋଇଛନ୍ତି।
ରବିବାର ୨୯୬ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାବେଳେ ମୋଟ ୬୪୮୪ ଜଣଙ୍କ ଅବସ୍ଥା ଗମ୍ଭୀର ହୋଇଥିଲା।ଏଥିସହ ମୋଟ ୨୩,୫୮୯ ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ହେଲେ ୩,୨୮୧ ଲୋକଙ୍କୁ ଚିକିତ୍ସା କରିବା ପରେ ଛାଡ଼ି ଦିଆ ଯାଇଥିଲା।
ଏହା ପୂର୍ବରୁ ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ରବିବାର ସୂଚନା ଦେଇ କହିଥିଲେ ଯେ, ଶନିବାର ୮୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୬୫୬ ନୂଆ ମାମଲା ସାମନାକୁ ଆସିଥିଲା। ହେଲେ ୬୦୦ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ହେଲେ ଚୀନରେ ଏହା ଏବେ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ନେଇ ସାରା ଦେଶର ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡିଛନ୍ତି।
