ନବନୀତା ବ୍ୟୁରୋ। ଦିଲ୍ଲୀ ୭୦ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏଥିରେ ରାଜଧାନୀର ୧.୪୭ କୋଟି ମତଦାତା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ତେବେ ଏହି ନିର୍ବାଚନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କାରଣ ନିର୍ବାଚନ ଜିତିଲେ ହ୍ୟାଟ୍ରିକ୍ ବିଜୟ ହାସଲ କରିବେ କେଜରିୱାଲ। ଏଥିପାଇଁ ଆଜି ସେ ପୁରା ପରିବାର ସହ ମତଦାନ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ କରିଛନ୍ତି। ହେଲେ ଏ ସମୟରେ ତାଙ୍କ ସହ ଝିଅ ହର୍ଷିତା ନ ଥିଲେ। ବାକି ସମସ୍ତେ ମତଦାନ କରିଛନ୍ତି।

ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ କେଜରିୱାଲ ଘରେ ପୂଜାପାଠ କରିବା ସହ ମାତାପିତାଙ୍କ ଆଶୀର୍ବାଦ ନେଇଥିଲେ। ମାତା ପିତାଙ୍କ ପାଦ ଛୁଇଁ ଆଶିର୍ବାଦ ଗ୍ରହଣ କରି ଭୋଟ ଦେବାକୁ ଯାଇଥିଲେ କେଜରିୱାଲ।

ମତ ସାବ୍ୟସ୍ତ କରିବା ପରେ କେଜରିୱାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ଏଥର ଦିଲ୍ଲୀରେ ପୁଣି ଆପ ସରକାର ଗଠନ କରିବା ସହ ହ୍ୟାଟ୍ରିକ୍ ହାସଲ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଏଥିସହ ପତ୍ନୀ ସୁନୀତା ଓ ପୁଅ ପୁଲକିତ ମତଦାନ କରିବା ପରେ କହିଛନ୍ତି ଯେ, ଦିଲ୍ଲୀବାସୀ ଆପ ସରକାରର କାମକୁ ଦେଖି ମତଦାନ କରିବେ।

ବିଶେଷ କରି କେଜରିୱାଲ ଦିଲ୍ଲୀ ମହିଳାଙ୍କୁ ଆହ୍ବାନ କରି କହିଥିଲେ ଯେ, ଆପ ଆପଣଙ୍କ ଘର ସମ୍ଭାଳୁଛି ଏବଂ ଆଜି ଆପଣ ନିଜ ପରିବାର ଲୋକଙ୍କୁ ନେଇ ନିଶ୍ଚିତ ଭାବେ ଭୋଟ ଗ୍ରହଣରେ ସାମିଲ୍ ହୁଅନ୍ତୁ।
