ନବନୀତା ବ୍ୟୁରୋ। ବର୍ଷାରେ ଭିଜୁଛି ଓଡ଼ିଶା। କୋହଲା ପାଗ ସହ ଝିପି ଝିପି ବର୍ଷା ଲାଗି ରହିଛି। ଏଭଳି ବର୍ଷା ଆସନ୍ତା ୯ ତାରିଖ ଯାଏ ଜାରି ରହିବ। ହେଲେ ୧୦ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି।
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉପକୂଳ, ଉତ୍ତର ସହ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ଢେଙ୍କାନାଳରେ କୁଆପଥର ବୃଷ୍ଟି ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିପରେ। ହେଲେ ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେ ଜିଲ୍ଲାଗୁଡିକ ହେଲା ଜଗତସିଂହପୁର, ପୁରୀ ଓ ଗଞ୍ଜାମ। ତେବେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି। ହେଲେ ୧୦ ତାରିଖ ପରେ ପାଗରେ ଟିକେ ପରିବର୍ତ୍ତନ ଆସିପାରେ। ରାତିରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିପାରେ ପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସେପଟେ ବର୍ଷା ନେଇ ଏସଆରସି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଘନ କୁହୁଡି, ଝିପି ଝିପି ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି। ଏ ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର।
