ଜନତା ଆଗରେ ନଇଁଲେ ନେତା!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ସାଧାରଣ ଜନତା ଆଗରେ ବଡ଼ ବଡ଼ ନେତା, ମନ୍ତ୍ରୀ ହାର ମାନନ୍ତି। ଏହାକୁ କେହି ମନା କରି ପାରିବେ ନାହିଁ। ମନ୍ତ୍ରୀ ନେତାଙ୍କ ଶକ୍ତିଠାରୁ ସାଧାରଣ ଲୋକଙ୍କ ଶକ୍ତି ଅଧିକ ଶକ୍ତଶାଳୀ। କାରଣ ସେହି ସାଧାରଣ ଜନତା ହିଁ ନେତା, ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି। ଏଣୁ ଲୋକଙ୍କ ବିନା ସମର୍ଥନରେ ଯେ କେହି ପ୍ରଭାବଶାଳୀ ନେତା କି ମନ୍ତ୍ରୀ ହେବା କାଠିକର ପାଠ। ଲୋକଙ୍କ ଆଗରେ ହାର ମାନିବାକୁ ପଡ଼ିଛି ନେତାଙ୍କୁ। ବରଗଡ ଜିଲ୍ଲା ହେଉଛି ଏହାର ଏକ ନମୂନା ମାତ୍ର।

ପୁରୁଣା ଜିଲ୍ଲା ମେଡ଼ିକାଲକୁ ସିଟି ହସ୍ପିଟାଲ ଦାବିରେ ମଙ୍ଗଳବାର ବରଗଡ଼ ବନ୍ଦ ପାଳନ କରାଯାଇଥିଲା। ନାଗରିକ ଏକତା ମଞ୍ଚ ପକ୍ଷରୁ କରାଯାଇଥିବା ଏହି ବନ୍ଦ ପାଳନରେ ସହରବାସୀଙ୍କ ଆକୁଣ୍ଠ ସମର୍ଥନ ରହିଥିଲା। ଟାୟାର ଜାଳି ସହରର ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଥିଲା। ଏପରିକି ପରିସ୍ଥିତି ଏଭଳି ହୋଇଥିଲା ଯେ ପୁଲିସ ସହ ଆନ୍ଦୋଳନକାରୀ ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ଲୋକଙ୍କ ଆନ୍ଦୋଳନ ଲାଗି ଜିଲ୍ଲା ପ୍ରଶାସନ ନାକେଦମ ହୋଇଥିଲା। ଏପରିକି ସ୍ଥାନୀୟ ବିଧାୟକ ଦେବେଶ ଅାଚାର୍ଯ୍ୟ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ମନାଇବାରେ ସଫଳ ହୋଇନଥିଲେ। କେବଳ ବନ୍ଦ ପାଳନ ନୁହେଁ, ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର ହେବା ପରଠାରୁ ଆନ୍ଦୋଳନ ଜାରି ରହିଥିଲା।

ଶେଷରେ ଲୋକଙ୍କ ଆଗରେ ମୁଣ୍ଡ ନୁଆଇଁଛନ୍ତି ରାଜ୍ୟ ସରକାର। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଅର୍ବାନ ସିଏଚସି କରିବା ପାଇଁ ଘୋଷଣା କରିଛନ୍ତି। ୩୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ ଲୋକଙ୍କୁ ଜରୁୀକାଳୀନ ଚିକିତ୍ସା ସେବା ଓ ଓପିଡି ସେବା ଯୋଗାଇ ଦିଆଯିବ। ଏଥିସହ ରୋଗୀମାନେ ନୂଆ ମେଡିକାଲକୁ ଯିବାରେ ଯେମିତି କୌଣସି ଅସୁବିଧା ନ ଭୋଗିବେ ସେଥିଲାଗି ପୁରୁଣା ମେଡିକାଲରୁ ମାଗଣାରେ ଆମ୍ବୁଲାନ୍ସ ଓ ବସ୍ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବୁଧବାର ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅର୍ବାନ ସିଏଚସି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସାଧାରଣ ସମସ୍ୟା ପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୂତି ପୋଷଣ କର ଆସିଛନ୍ତି। ତେଣୁ ଲୋକଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବା ପାଇଁ ବରଗଡବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

କଣ ପାଇଁ ଆନ୍ଦୋଳନ

ଚଳିତ ମାସ ପହିଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବ ନିର୍ମିତ ମେଡିକାଲ ତୁକୁର୍ଲାକୁ ସ୍ଥାନାନ୍ତର କରାଗଲା। ହେଲେ ନବ ନିର୍ମିତ ମେଡିକାଲ ପୁରୁଣା ହସ୍ପିଟାଲଠାରୁ ୧୦ କିଲୋମିଟର ଦୂର ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ଗମନାଗମନ ବ୍ୟବସ୍ଥା ନ ଥିବାରୁ ନୂଆ ମେଡିକାଲକୁ ଯିବା ଆସିବାରେ ଲୋକେ ହଇରାଣ ହେଲେ। ଏହାକୁ ନେଇ ସହରବାସୀ ଆନ୍ଦୋଳନର ପନ୍ଥା ଗ୍ରହଣ କଲେ। ପୁରୁଣା ମେଡିକାଲକୁ ସିଟି ମେଡିକାଲ କରିବା ପାଇଁ ଦାବି ଜୋର୍ ଧରିଲା। ଏପରିକି ଅନଶନ, ଆନ୍ଦୋଳନ ଓ ବରଗଡ ବନ୍ଦ ପାଳନ ମଧ୍ୟ କରାଯାଇଥିଲା।

ମେଡିକାଲକୁ ନେଇ ରାଜନୀତି!

ବରଗଡ ମେଡିକାଲ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ଜୋର୍ ଧରିଲା ରାଜନୀତି। କଂଗ୍ରେସ ନେତା ପ୍ରଦୀପ ଦେବତା ପୁରୁଣା ମେଡିକାଲକୁ ସିଟି ହସ୍ପିଟାଲ୍ କରିବା ପାଇଁ ଜୋରସୋର୍ ଆନ୍ଦୋଳନ ଚଳାଇଲେ। ଏହାକୁ ସହରବାସୀ ମଧ୍ୟ ସମର୍ଥନ କଲେ। ଅନ୍ୟପଟେ ବିଜେପି ସାଂସଦ ସୁରେଶ ପୂଜାରୀ ଓ ବିଜେପି ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ହେଲେ ଲୋକଙ୍କୁ ମନାଇବାରେ ବିଫଳ ହୋଇଥିଲେ ବିଜେଡ଼ି ନେତା। ଶେଷରେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଅାଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ କଥା କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଣା ମୁଖ୍ୟ ମେଡିକାଲକୁ ଅର୍ବାନ ସିଏଚସି କରିବା ପାଇଁ ଘୋଷଣା କଲେ।

ଘୋଷଣା ପରେ ବାହାବା!

ଯେତେବେଳେ ବରଗଡ଼ରେ ସିଟି ହସ୍ପିଟାଲ୍ ଦାବି ନେଇ ଜୋରସୋର ଆନ୍ଦୋଳନ ଚାଲି ଥିଲା ସେତେବେଳେ ଆନ୍ଦୋଳନକାରୀଙ୍କୁ ନୈତିକ ସମର୍ଥନ ଦେବା ପରିବର୍ତ୍ତେ କୁଆଡେ ଉଭାନ ହୋଇଗଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ। ଏନେଇ ଚୌହାନ ସାମନାକୁ ନ ଆସିବାରୁ ସୋସଲ୍ ମିଡ଼ିଆରେ ଜୋରସୋର୍ ଆଲୋଚନା, ସମାଲୋଚନା ହେଲା। ତା ସତ୍ତ୍ଵେ ମଧ୍ୟ ଚୌହାନ ମେଡିକାଲ୍ ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ନ ଦେଇ ଅନ୍ତର୍ଦ୍ଧାନ ରହିଲେ। ହେଲେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ ହିଁ ସେ ପ୍ରେସ ବିଜ୍ଞପ୍ତିକୁ ନିଜ ଫେସବୁକରେ ପୋଷ୍ଟ କରି ଦେଲେ ଚୌହାନ। ଯେମିତି ଲୋକେ ଜାଣିବେ ତାଙ୍କ ଦ୍ଵାରା ଏହି କାମଟା କରା ଯାଇଛି। ତା ପରେ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ମଧ୍ୟ ଫେସବୁକରେ ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ବେଳର ଫଟୋ। ଏହାର ବାହାବା ନେବା ପାଇଁ ପ୍ରତିଯୋଗିତା, ହେଲେ ପ୍ରକୃତ ହିରୋ କିଏ ତାହା ପ୍ରାୟ ସମସ୍ତଙ୍କୁ ଜଣା।

ସିଙ୍ଗ ଇଜ୍ କିଙ୍ଗ

ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ଅର୍ବାନ ସିଏଚସି ଘୋଷଣା ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଛି। କେବଳ ଏତିକି ନୁହେଁ, ନବ ନିର୍ମିତ ମେଡିକାଲ୍ ଉଦଘାଟନ ହେଉ କି ଜିଲ୍ଲାରେ କ୍ୟାନସର ମେଡିକାଲ ଘୋଷଣା ସବୁଥି ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। କ୍ରମାଗତ ଭାବେ ବିଜେପୁରରୁ ବିଜେଡ଼ି ପ୍ରାର୍ଥୀଙ୍କୁ ତୃତୀୟ ଥର ବିଜୟୀ କରାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ରହିଛନ୍ତି। ତାସହ ନିଜ ଦାବଦବା ବୃଦ୍ଧି ସହ ସାରା ପଶ୍ଚିମ ଓଡ଼ିଶାରେ ଜଣେ ପ୍ରଭାବଶାଳୀ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ହେଲେ ସେ ଆତ୍ମପ୍ରଚାର ଅପେକ୍ଷା କାମକୁ ଅଧିକ ପସନ୍ଦ କରୁଥିବା ନଜିର ରହିଛି। ବରଗଡ଼ ସହ ପଶ୍ଚିମ ଓଡ଼ିଶାରେ ତାଙ୍କ ଇଶାରାରେ ଅନେକ ବିକାଶମୂଳକ କାର୍ଯ୍ୟ ହେଉଥିଲେ ବି ନିଜେ ଆତ୍ମ ପ୍ରଚାର କରୁ ନାହାନ୍ତି। ବରଂ କେମିତି ଆହୁରି ଭଲ କାର୍ଯ୍ୟ ହୋଇ ପାରିବ ସେନେଇ ଅହରହ ଉଦ୍ୟମ ଚଳାଇଛନ୍ତି।