ଡାଲମିଆ ଶିଳ୍ପ କାରଖାନା ନା ମରଣଖାନା!

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଶିଳ୍ପ ସଂସ୍ଥାରେ ଦୁର୍ଘଟଣା। ଘଟଣାର ପୁନରାବୃତ୍ତି ଘଟୁଥିଲେ ବି କମ୍ପାନୀ କର୍ତ୍ତୃପକ୍ଷଙ୍କ ଚେତା ପଶୁନି କାହିଁକି! ଓସିଏଲ କାରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଘଟୁଛି ଏଭଳି ଅଭାବନୀୟ ଘଟଣା। ଆଉ ଏଥିପାଇଁ ନିରୀହ ଗରିବ ଶ୍ରମିକଙ୍କ ଅକାଳେ ଜୀବନ ଯାଉଛି।

ପ୍ରାୟ ୧୦ ବର୍ଷ ତଳର ଏକ ଘଟଣା। ଓସିଏଲ ଇଣ୍ଡିଆ ଲିମିଟେଡ କାରଖାନାରେ ଦୁର୍ଘଟଣା ଘଟିଥିଲା। କାରଖାନା ଟନେଲ୍ ଭିତରେ ଶ୍ରମିକ ପଡି ଯିବାରୁ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣ ଯାକ ଶ୍ରମିକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏହାର ଠିକ୍ ୧୦ ବର୍ଷ ପରେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି।

ବୁଧବାର ସନ୍ଧ୍ୟା ପାଖାପାଖି ସମୟ ୫ଟା। ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଘଟିଲା ଭୟାନକ ବିସ୍ଫୋରଣ। ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ବ୍ଲାଷ୍ଟ୍ ଫର୍ଣେସରୁ ଲିକ୍ ହୋଇ ଉତ୍ତପ୍ତ ଚୂନ ପଥର ଗୁଣ୍ଡ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତ ଶ୍ରମିକ ଜଣକ ହେଲେ ରଶ୍ମି କୁଜର। ଅନ୍ୟ ଆହତ ୩ ଶ୍ରମିକଙ୍କୁ କାରଖାନା ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆ ଯାଇଥିଲା।

କେମିତି ଘଟିଲା ଦୁର୍ଘଟଣା

ଡାଲମିଆ ସିମେଣ୍ଟ କାରଖାନା ୟୁନିଟ୍ ଏକ ଲାଇନ ୩ ବ୍ଲାଷ୍ଟ ଫର୍ଣେସ୍ ପାଖରେ ସଫେଇ କାମ କରୁଥିଲେ ଶ୍ରମିକ। ଏତିକିବେଳେ ଫର୍ଣେସରୁ ହଠାତ୍ ଲିକ୍ ହୋଇଥିଲା। ଏବଂ ଉତ୍ତପ୍ତ ଚୂନ ପଥର ଗୁଣ୍ଡ ତଳେ ପଡ଼ିଥିଲା। ସେ ସମୟରେ ତଳେ ସଫେଇ କାମ କରୁଥିବା ଶ୍ରମିକଙ୍କ ଉପରେ ଉକ୍ତ ଉତ୍ତପ୍ତ ଚୂନ ପଥର ଗୁଣ୍ଡ ପଡ଼ିଥିଲା। ଏଥିରେ ଜଣେ ଶ୍ରମିକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଜଣକ ହେଲେ ରଶ୍ମି କୁକୁର। ଘଟଣାରେ ଆହତ ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ହେଲେ କମ୍ପାନୀ କର୍ତ୍ତୃପକ୍ଷ କେବଳ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ନିଜ କାର୍ଯ୍ୟ ସାରି ଦେଇଛି।

ଏଠି ପ୍ରଶ୍ନ ଉଠୁଛି କମ୍ପାନୀରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ନିରାପତ୍ତା ବ୍ୟବସ୍ଥା କରାଯାଉ ନି କାହିଁକି? ବ୍ଲଷ୍ଟ୍ ଫର୍ଣେସ ଲିକ୍ ହେବା ନେଇ କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରିଲେନି କେମିତି!! ଯଦି ଜାଣିଥିଲେ ତାହେଲେ ଶ୍ରମିକଙ୍କୁ ସୂଚନା ଦିଆଗଲା ନାହିଁ କାହିଁକି? କମ୍ପାନୀ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଜଣେ ନିରୀହ ଶ୍ରମିକର ଅକାଳରେ ଜୀବନ ଚାଲିଗଲା। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଶୋକ ସନ୍ତପ୍ତ ପରିବାରକୁ କେବଳ ସମବେଦନା ଜଣାଇ ନିଜ କର୍ତ୍ତବ୍ୟ ସାରି ଦେଇଛି।