ନବନୀତା ବ୍ୟୁରୋ। ‘ମୋ ସରକାର’ ଅଧିନକୁ ଆସିଲା ‘ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା’ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ କରାଯାଇଛି। ଶ୍ରମ ବିଭାଗର ଅଫିସ ଅଫ୍ ଲେବର କମିସନ, ଡାଇରେକ୍ଟର ଅଫ୍ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ୍ ଇଏସ୍ଆଇ ମୋ ସରକାରରେ ସାମିଲ ହୋଇଛି। ଏଥିସହ ସଂପୃକ୍ତ ବିଭାଗରେ ଥିବା ୩୨ଟି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ, ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ବିଭାଗର ୧୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଓ ଇଏସଆଇର ୪ଟି ଡାକ୍ତରଖାନାକୁ ମଧ୍ୟ ସାମିଲ କରାଯାଇଛି।

ବୁଧବାର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙଙ୍କ ଉପସ୍ଥିତିରେ ଶ୍ରମ ବିଭାଗକୁ ମୋ ସରକାରରେ ଯୋଡ଼ା ଯାଇଛି। ଶ୍ରମିକ ନିରାପତ୍ତା ସହ କିପରି ଭାବେ ଯୋଜନାର ସଠିକ୍ କାର୍ଯ୍ୟକାରୀ ହୋଇ ପାରିବ ସେ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ବାରା ଶ୍ରମିକ ସଶକ୍ତିକରଣ ଓ ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପଛରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ସେମାନଙ୍କ ମତାମତ ଆଧାରରେ ମର୍ଯ୍ୟାଦାପୂର୍ଣ୍ଣ ସେବା ପ୍ରଦାନ ପାଇଁ ବିଭାଗ ପକ୍ଷରୁ ସ୍ଥାପନ ହୋଇଥିବା ମୋ ସରକାର ସେଲ ଏବଂ ଶ୍ରମିକ ସେବା କେନ୍ଦ୍ର ଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ଶ୍ରମିକ ମାନେ ଯୋଜନାର ଫାଇଦା କେମିତି ପାଉଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ସିଧାସଳଖ ଭାବେ ଫିଡ୍ ବ୍ୟାକ୍ ନେବେ।ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିଆନ, ଶ୍ରମ ସଚିବ ଅନୁ ଗର୍ଗ, ବିଭାଗର ପରାମର୍ଶଦାତା ସୁଭାଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
