ନବନୀତା ବ୍ୟୁରୋ। କଟକ ନିର୍ଗୁଣ୍ଡି ଷ୍ଟେସନରେ ମାଲବାହୀ ଟ୍ରେନକୁ ପଛ ପଟୁ ଧକ୍କା ଦେଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ ଟ୍ରେନ। ସୌଭାଗ୍ୟବଶତଃ ଏଥିରେ କାହାରି ମୃତ୍ୟୁ ହୋଇନଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନର ୭ଟି ବଗି ଲାଇନଚ୍ୟୁତ ହୋଇଥିବା ସହ ୧୧ ଟି ବଗି କ୍ଷତି ଗ୍ରସ୍ତ ହୋଇଛି। ତେବେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଯିବାକୁ କେମିତି ସିଗ୍ନାଲ ଦିଆଗଲା ସେନେଇ ରେଳ ବିଭାଗର ଚରମ ଅବହେଳାକୁ ପଦାରେ ପକାଇଦେଇଛି। ରେଳ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ହେଲେ ଘନ କୁହୁଡି କେବଳ ବାହାନା। ଯଦି କୁହୁଡି ଦୁର୍ଘଟଣାର କାରଣ ତାହେଲେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନକୁ ସିଗ୍ନାଲ ତ୍ରୁଟି ସବୁଠୁ ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି।
ତେବେ ରେଳ ଦୁର୍ଘଟଣାରେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀ ହେଲେ ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟର, ଗାର୍ଡ ନିଲମ୍ବିତ, ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ର ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟକୁ ନିଲମ୍ବିତ କରାଯାଇଥିବା ପୂର୍ବତଟ ରେଳବାଇର ସୂଚନା ଦିଆଯାଇଛି। ଏଥିସହ ଗୋଟିଏ ଟ୍ରାକରେ ଉଭୟ ମାଲ ଗାଡି ଓ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଯିବାକୁ ସିଗ୍ନାଲ କିଭଳି ଭାବେ ଦିଆଗଲା ତାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ରେଳବାଇ କର୍ତ୍ତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି। ଅନ୍ୟପଟେ ଏହି ଦୁର୍ଘଟଣା ଲାଗି ରେଳ ବିଭାଗକୁ ଦାୟୀ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।
କେବଳ ଏତିକି ନୁହେଁ ଦୁର୍ଘଟଣା ଘଟିବାର ଦୁଇ ଘଣ୍ଟା ପରେ ବି ରେଳ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ନଥିଲେ। ସ୍ଥାନୀୟ ଲୋକେ ଖବର ପାଇ ଆହତ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଥିଲେ। ପ୍ରଶ୍ନ ଉଠୁଛି ସବୁ ଜାଣି ସୁଦ୍ଧା କଣ ପାଇଁ ଘଟଣାସ୍ଥଳକୁ ଯାଇ ପାରିଲେ ନି ରେଳ ବିଭାଗ କର୍ମଚାରୀ? ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନା ଅବହେଳା ଯୋଗୁଁ ଲୋକଙ୍କ ଆକ୍ରୋଶର ଶିକାରରୁ ବର୍ତ୍ତିବା ପାଇଁ। ଏଭଳି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଘଟଣା ଥିଲା ଏହିପରି। ଗୁରୁବାର ସକାଳ ୭.୧୦ରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର ପହଞ୍ଚିବାର ଥିଲା। ହେଲେ କଟକ ନିର୍ଗୁଣ୍ଡି ଷ୍ଟେସନରେ ପାଖାପାଖି ୬.୩୦ ମିନିଟରେ ମାଲବାହୀ ଟ୍ରେନକୁ ପଛ ପଟୁ ଧକ୍କା ଦେଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ ଟ୍ରେନ। ଫଳରେ ଟ୍ରେନର ୭ଟି ବଗି ରେଳ ଧାରଣାରୁ ତଳକୁ ଖସି ଗଲା। ଧଡ଼ଧାଡ ଶବ୍ଦ ଶୁଣି ଯାତ୍ରୀ ପ୍ରାଣ ବିକଳରେ ତଳକୁ ଓହ୍ଲାଇଥିଲେ। ଯିଏ ଯେମିତି ପାରିଲା ଜୀବନ ବିକଳରେ ତଳକୁ ଧାଇଁଲା। କିଏ ଛୋଟ ଛୁଆକୁ ତ ଆଉ କିଏ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଧରି ତଳକୁ ଓହ୍ଲାଇଥିଲେ। ହେଲେ ଦୁର୍ଘଟଣା ଘଟିବାର ଅନେକ ସମୟ ବିତି ଯାଇଥିଲେ ବି ରେଳ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲେ। ପ୍ରଥମେ ବିଭାଗର ଅବହେଳା ଲାଗି ଦୁର୍ଘଟଣା ଘଟିଥିବା ବେଳେ ପରେ ଆହତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ରେଳ ବିଭାଗର ଅବହେଳା ଦେଖିବାକୁ ମିଳିଥିଲା। ବିଳମ୍ବରେ ରେଳ ବିଭାଗ କର୍ମଚାରୀ ଆସିଥିବାରୁ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ପୂର୍ବତଟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ରଙ୍କ ସୂଚନା ଅନୁସାରେ ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରୁ ୧୧ ରୁ ଅଧିକ ଲୋକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି। ଦୁର୍ଘଟଣାରେ ୭ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୧୧ ଟି ବଗି କ୍ଷତିଗ୍ରସ୍ତ ହୋଇଛି। ତାସହ ରେଳ ଧାରଣା ମଧ୍ୟ ନଷ୍ଟ ହୋଇଥିବା ସେ କହିଛନ୍ତି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।
