ନବନୀତା ବ୍ୟୁରୋ। ପଶ୍ଚିମା ହାତରୁ ଗଲା ରାଜ୍ୟ ବିଜେପି ସଭାପତି ପଦ। ଉପକୁଳିଆ ନେତା ହେଲେ ରାଜ୍ୟର ନୂଆ ମଙ୍ଗୁଆଳ। ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶା ନେତା ଏହି ପଦବୀ ଅଳଙ୍କୃତ କରି ଆସୁଥିଲେ। ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା କ୍ରମାଗତ ଭାବେ ରାଜ୍ୟ ସଭାପତି ପଦବୀରେ ଅଧିସିକ୍ତ ହୋଇଥିଲେ। ଏଥର ବି ପଶ୍ଚିମ ଓଡ଼ିଶାରୁ କାହାକୁ ଜଣେ ନେତାଙ୍କୁ ସଭାପତି ପଦରେ ବସାଇବା ନେଇ ଚର୍ଚ୍ଚା ହେଉଥିଲା। ଆଶା କରାଯାଉଥିଲା ପଶ୍ଚିମ ଓଡ଼ିଶାରୁ ସମସ୍ତ ସାଂସଦ ବିଜୟୀ ହୋଇଥିବା ବେଳେ ଆଶାତୀତ ଭାବେ ବିଧାୟକ ସେମିତି ଅନୁପାତରେ ନିର୍ବାଚିତ ହୋଇ ନାହାନ୍ତି। ତେଣୁ ଉପକୂଳ ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଜଣେ ଉପକୂଳିଆ ନେତାଙ୍କ ହାତରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଫଳରେ ସଭାପତି ଦୋୖଡରେ ଥିବା ପଶ୍ଚିମା ନେତା ନିରାଶ ହୋଇଛନ୍ତି।
ବରିଷ୍ଠ ବିଜେପି ନେତା ତଥା ମୁଖପାତ୍ର ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମୁଖିଆ। ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନୋମିନେସନ୍ କରିନଥିବାରୁ ସମୀର ପରବର୍ତ୍ତୀ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। କାଲି ଦାୟିତ୍ଵ ଗ୍ରହଣ କରିବା ସହ ପୁରୁଣା ସଭାପତିଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ୨୦୧୬ ରୁ ରାଜ୍ୟ ବିଜେପି ଉପସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି ସମୀର ମହାନ୍ତି।
ଏବେ ନଜର ପକାଇବା ସମିରଙ୍କ ରାଜନୈତିକ କ୍ୟାରିୟର ଉପରେ। ଛାତ୍ର ଜୀବନରୁ ସେ ରାଜନୀତିକୁ ଆସିଥିଲେ। ୧୯୭୭ ମସିହାରେ ଏବିଭିପି ଭୁବନେଶ୍ୱର ଯୁଗ୍ମ ସମ୍ପାଦକ ହୋଇଥିଲେ ସମୀର। ଏହାପରେ ସେ ପିଏନ୍ କଲେଜରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୦ରେ ସେ ଏବିଭିପିର ରାଜ୍ୟ ଉପ ସଭାପତି ହୋଇଥିଲେ।
୧୯୮୩ରେ ଭାରତୀୟ ଜନତା ଯୁବା ମଞ୍ଚରେ ଯୋଗ ଦେଇଥିଲେ। ହେଲେ ତା ପରବର୍ତ୍ତୀ ବର୍ଷରେ ସେ ରାଜ୍ୟ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ଏପରିକି ସହକାରୀ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ୧୯୮୫-୯୫ ରେ ସେ ବିଡ଼ିଏ କର୍ମଚାରୀ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ପରେ ସେ ସରକାରୀ ଚାକିରୀରୁ ଅବସର ନେବା ପରେ ୧୯୯୫ ମସିହାରେ ସମୀରଙ୍କୁ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ୨୦୦୨ ରୁ ୨୦୦୯ ସେ ଦଳର ମିଡ଼ିଆ କାର୍ଯ୍ୟକ୍ରମ, ସଂଗଠନ କର୍ମଶାଳା ଓ ତାଲିମ୍ କାର୍ଯ୍ୟକ୍ରମ କରି ଆସିଥିଲେ।
୨୦୦୩ ରେ ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ଲଢ଼ିବା ସହ ଫିନାନସ୍ ଟେକ୍ସେସନ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହୋଇଥିଲେ। ଏଥିସହ ସେ ରାଜ୍ୟ ସମବାୟ ହାଉସିଂ ନିଗମର ସଭାପତି ଭାବେ ମନୋନୀତ ହୋଇଥିଲେ। ଏହା ବ୍ୟତୀତ ସେ ଓଡ଼ିଶା ଖଦୀ ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ସମୀର।
