ନବନୀତା ବ୍ୟୁରୋ। ଭାରତ ଶ୍ରୀଲଂକା ମଧ୍ୟରେ ଖେଳାଯାଉଥିବା ତିନି ଟିକିଆ ଟି- ୨୦ ସିରିଜର ମଙ୍ଗଳବାର ଦ୍ବିତୀୟ ମୁକାବିଲା ଇନ୍ଦୋର ହୋଲକର୍ ଷ୍ଟାଡିୟମରେ ଖେଳାଯିବ। ତେବେ ବର୍ଷାରେ ଧୋଇ ଗଳା ଗୁୱାହାଟି ପ୍ରଥମ ମୁକାବିଲା। ପିଚ୍ ଓଦା କାରଣରୁ ଗୋଟିଏ ବି ବଲ୍ ଖେଳା ଯାଇ ପାରିନଥିଲା। ଇନ୍ଦୋରରେ ବର୍ଷା ହେବା ସମ୍ଭାବନା ନ ଥିବା ଜଣାପଡିଛି। ହେଲେ ଭାରତ ଶ୍ରୀଲଙ୍କା ମ୍ୟାଚର ଦିନକ ପରେ ବର୍ଷା ହେବ। ପାଣିପାଗ ବିଭାଗ ସୂଚନା ଅନୁସାରେ ଦ୍ବିତୀୟ ଟି- ୨୦ ମ୍ୟାଚରେ ପାଗ ଠିକ୍ ରହିବା ସହ ମ୍ୟାଚ ସମୟରେ ବର୍ଷା ହେବା ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ମ୍ୟାଚ୍ ହୋଲକର ଷ୍ଟାଡିୟମରେ ଭାରତ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଖେଳାଯିବ।
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଇନ୍ଦୋରରେ ଆଜିକାଲି ରାତି ୯ଟା ପରେ କାକର ପଡ଼ିବ। ଯେଉଁଥି ପାଇଁ ମ୍ୟାଚର ଦ୍ବିତୀୟ ପର୍ଯ୍ୟାୟରେ ଖେଳାଳିଙ୍କୁ ପଡ଼ିଆରେ କାକର ପ୍ରଭାବର ସାମ୍ନା କରିବାକୁ ପଡ଼ିବ। ଷ୍ଟାଡିୟମର ମୁଖ୍ୟ ପିଚ୍ କ୍ୟୁରେଟର ସମନ୍ଦର୍ ସିଂହ ଚୌହ୍ୱାନ୍ କହିଛନ୍ତି ଯେ ମ୍ୟାଚ୍ ସମୟରେ କାକର ପ୍ରଭାବରୁ ବଞ୍ଚାଇବା ପାଇଁ ଗତ ତିନି ଦିନରୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।
ସେ ଆହୁରି କହିଛନ୍ତି ଯେ ମ୍ୟାଚ ବେଳେ ପଡିଆ ଶୁଖା ରହିବା ପାଇଁ ତିନ ଦିନ ହେଲା ଘାସରେ ପାଣି ଦିଆ ଯାଉନି। ତେବେ ଆଜିର ମ୍ୟାଚରେ ରନ୍ ବର୍ଷା ହେବା ଆଶା କରାଯାଉଛି।
