ନବନୀତା ବ୍ୟୁରୋ। କ୍ରିକେଟର ଭଗବାନ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସଚିନ୍ ତେନ୍ଦୁଲକରଙ୍କ ସୁରକ୍ଷା ବ୍ୟବସ୍ଥା କମାଇଲେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ମହାରାଷ୍ଟ୍ର ସରକାର। ପୂର୍ବରୁ ସଚିନଙ୍କୁ ଏକ୍ସ କେଟେଗୋରି ସୁରକ୍ଷା ପ୍ରଦାନ କରାଯାଇଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ସୁରକ୍ଷା ୱାଇରୁ ଜେଡକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ହାଇ ପ୍ରୋଫାଇଲ ଲୋକଙ୍କ ସୁରକ୍ଷା ସମୀକ୍ଷା ପରେ ଏହି ନିଷ୍ପତି ନିଆଯାଇଛି।
ସୂଚନା ଅନୁସାରେ ଏକ୍ସ କେଟେଗୋରି ସୁରକ୍ଷାରେ ସବୁବେଳେ ସଚିନଙ୍କ ନିକଟରେ ଜଣେ ପୋଲିସ କନେଷ୍ଟବଳ ଉପସ୍ଥିତ ରହୁଥିଲେ। ହେଲେ ଏବେ ବି ତାଙ୍କୁ ପୋଲିସ ଏସ୍କର୍ଟ ମିଳିପାରେ। ବିଜେପି ନେତା ଏକନାଥ ଝଡ୍ସେଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି ହେଲେ ତାଙ୍କ ଏସ୍କର୍ଟକୁ ହଟାଇ ଦିଆଯାଇଛି।
ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମ ନାଇକଙ୍କଠାରୁ ଜେଡ ପ୍ଲସ ସୁରକ୍ଷା ହଟାଇ ଏକ୍ସ କରାଯାଇଛି। ବରିଷ୍ଠ ଆଇନଜୀବୀ ଉଜ୍ଜଳ ନିକମଙ୍କ ଜେଡ୍ ପ୍ଲସ ସୁରକ୍ଷା ହଟାଇ ୱାଇ ଶ୍ରେଣୀ କରାଯାଇଛି। ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ବ୍ୟବସ୍ଥା ୱାଇରୁ ଜେଡ୍ ଶ୍ରେଣୀ କରାଯାଇଛି।
ସୂଚନା ଅନୁସାରେ ସୁରକ୍ଷା ବଢାଇବା ଓ ହଟାଇବା ନିଷ୍ପତି ଏକ ସମିତି ସ୍ଥିର କରିଥାଏ। ଯାହା ପ୍ରତି ତିନି ମାସରେ ଖତରା ନେଇ ଆକଳନ କରିଥାଏ। ସମିତି ଦ୍ଵାରା ଇଣ୍ଟେଲିଜେନସ ଏଜେନ୍ସି ଓ ପୋଲିସ ଥାନାରୁ ମିଳିଥିବା ତଥ୍ୟ ଆଧାରରେ ସୁରକ୍ଷା ବଢାଇବା ଓ କମାଇବା ନେଇ ନିଷ୍ପତି ନିଆଯାଏ। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ସମିତି ପକ୍ଷରୁ ୯୭ ଲୋକଙ୍କୁ ମିଳିଥିବା ସୁରକ୍ଷା ଉପରେ ସମୀକ୍ଷା କରାଯାଇଥିଲା। ହେଲେ ୨୯ ଲୋକଙ୍କ ସୁରକ୍ଷା କମାଯାଇଥିବା ବେଳେ ୧୬ ଲୋକଙ୍କ ସୁରକ୍ଷା ହଟାଇ ଦିଆଯାଇଛି।
