ନବନୀତା ବ୍ୟୁରୋ। ଝାରଖଣ୍ଡରେ ମୋଟ ୮୧ ବିଧାନସଭା ଆସନର ଫଳାଫଳ ପ୍ରକାଶ ପାଇଛି। ବିଜେପି ଝାରଖଣ୍ଡରେ ବଡ଼ ଝଟକା ଲାଗିଥିବା ବେଳେ କଂଗ୍ରେସ ଗଠବନ୍ଧନ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ଜାଣନ୍ତୁ ଯେଉଁ ଆସନରେ ଦଳର ରଥି ମହାରଥୀ ରେଲି କରିଥିଲେ, ସେଠାରେ ଫଳାଫଳ କିଭଳି ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରଖଣ୍ଡ ନିର୍ବାଚନ ଲାଗି ୧୦ ଟି ରାଲି କରିଥିଲେ। ଦଶଟି ରାଲି କରି ୩୩ ବିଧାନସଭା ଆସନରେ ପ୍ରଚାର କରିଥିଲେ ମୋଦୀ। ପିଏମ୍ ମୋଦୀ ବରହୀ, ବୋକାରୋ, ପଲାମୁ, ଗୁମଲା, ଖୁଣ୍ଟି, ଦୁମକା, ସହିବଗଞ୍ଜ, ବରହେଟ, ଧନବାଦ୍, ଜାମସେଦପୁରରେ ନିର୍ବାଚନୀ ରାଲି କରିଥିଲେ। ଦୁମୁକାରେ ଜେଏମ୍ଏମ୍ ପ୍ରାର୍ଥୀ ହେମନ୍ତ ସୋରେନ ବିଜେପିର ଲୁଇସ୍ ମାରାଣ୍ଡିଙ୍କୁ ପରାସ୍ତ କରିଛନ୍ତି। ସେହିପରି ବରହଟରେ ମଧ୍ୟ ହେମନ୍ତ ସୋରେନ ବିଜୟୀ ହୋଇଛନ୍ତି। ସେ ବିଜେପିର ସିମୋନ ମାଲ୍ଟୋଙ୍କୁ ହରାଇଛନ୍ତି। ପିଏମ୍ ମୋଦୀ ଧାନବାଦରେ ନିର୍ବାଚନୀ ପ୍ରଚାର କରିଥିଲେ। ସେଠାରେ ବିଜେପି ପ୍ରାର୍ଥୀ ରାଜ ସିହ୍ନା କଂଗ୍ରେସ ପ୍ରାର୍ଥୀ ମନ୍ନାନ ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରେ ପରାଜୟ ବରଣ କରିଛନ୍ତି।
ଅମିତ ଶାହା
କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଝାଡ଼ଖଣ୍ଡରେ ୧୧ଟି ନିର୍ବାଚନୀ ପ୍ରଚାର କରିଥିଲେ। ଏ ଅବସରରେ ସେ ୨୭ଟି ବିଧାନସଭା ଆସନ ଉପରେ କ୍ୟାମ୍ପେନ୍ କରିଥିଲେ। ଅମିତ୍ ଶାହା ଧନବାଦ, ଗିରିଡିହ, ଦେବଘର୍, ଚିଟାହି ସମେତ ୧୧ ସ୍ଥାନରେ ନିର୍ବାଚନ ରାଲି କରିଥିଲେ। ଧନବାଦ ଆସନରେ ବିଜେପି ପ୍ରାର୍ଥୀ ରାଜ ସିହ୍ନା ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଗିରିଡିହ ଆସନରେ ଜେଏମ୍ଏମ୍ ପ୍ରାର୍ଥୀ ସୁବିଧ୍ୟ କୁମାର ବିଜେପିର ନିର୍ଭୟ କୁମାରଙ୍କୁ ପରାସ୍ତ କରିଛନ୍ତି। ହେଲେ ଦେବଘର ଆସନରେ ବିଜେପି ପ୍ରାର୍ଥୀ ନାରାୟଣ ଦାସ ଆରଜେଡିର ସୁରେଶ ପଶ୍ୱାନଙ୍କୁ ହରାଇଛନ୍ତି।
ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୬ଟି ନିର୍ବାଚନୀ ରାଲି କରିଥିଲେ। ସେ ୨୧ଟି ଆସନ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ରାହୁଲ ପ୍ରଚାର କରିଥିବା ପାକୁଡ଼ ଆସନରେ କଂଗ୍ରେସ ପ୍ରାର୍ଥୀ ଆଲମଗିର୍ ଆଲମ୍ ବିଜେପି ପ୍ରାର୍ଥୀ ବେନି ପ୍ରସାଦ ଗୁପ୍ତାଙ୍କୁ ପରାସ୍ତ କରିଛନ୍ତି। ହେଲେ ହଜାରିବାଗ ଆସନରେ ବିଜେପି ପ୍ରାର୍ଥୀ ମନିଷ୍ ଜୟସୱାଲ୍ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ପ୍ରସାଦଙ୍କୁ ହରାଇଛନ୍ତି। ସେହିପରି ରାଞ୍ଚି ଆସନରେ ବିଜେପି ପ୍ରାର୍ଥୀ ଚନ୍ଦ୍ରେଶ୍ୱର୍ ପ୍ରସାଦ ସିଂ ଜେଏମ୍ଏମ୍ ପ୍ରାର୍ଥୀଙ୍କୁ ୫୯୦୪ ଭୋଟରେ ପରାସ୍ତ କରିଛନ୍ତି।
