ନବନୀତା ବ୍ୟୁରୋ। ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଶେଷ ହେବାର ଏକ ମାସ ଅପେକ୍ଷା ପରେ ଠାକରେ ରାଜ୍ ଆରମ୍ଭ ହୋଇଛି। ଏଠାରେ ଶାସନ ମଙ୍ଗ ଧରିବା ପାଇଁ ଚାଲିଥିବା ମହା ନାଟକ କାହାକୁ ଅଛପା ନାହିଁ। ଏପରିକି ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପୁଣି ଇସ୍ତଫା ଦେବାକୁ ପଡ଼ିଥିଲା। ଏହାପରେ ଉଦ୍ଧବ ଠାକରେଙ୍କ ରାଜ୍ୟାଭିଷେକ୍ ହୋଇଛି।
ଯେଭଳି କେନ୍ଦ୍ର ସରକାରର ମୁଖ୍ୟ ପ୍ରଧାନମନ୍ତ୍ରୀ ରହିଥାନ୍ତି, ଠିକ୍ ସେହପରି ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି। ତାଙ୍କ କାର୍ଯ୍ୟକାଳ ପାଞ୍ଚବର୍ଷ ହୋଇଥାଏ। ହେଲେ ଭାରତରେ ଏମିତି କେତେ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି ଯେଉଁମାନେ ୧୦ ବର୍ଷରୁ ବି ଅଧିକ ସମୟ ସରକାରରେ ରହିଛନ୍ତି। ଏମିତି ୧୦ ଜଣ ମୁଖ୍ୟମନ୍ତ୍ରୀ ସଂପର୍କରେ ଜାଣିବା, ଯେଉଁମାନେ ଦେଶର ଇତିହାସରେ ଲମ୍ବା ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇ ଶାସନ ଭାର ସମ୍ଭାଳି ଥିଲେ।

ପୱନ୍ ଚାମଲିଂଗ୍
ପୱନ୍ କୁମାର ଚାମଲିଙ୍ଗ ଦେଶର ସିକ୍କିମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ। ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ପୱନ୍ ଚାମଲିଙ୍ଗ ୨୪ ବର୍ଷ କାର୍ଯ୍ୟକାଳ ସମ୍ଭାଳି ଥିଲେ। ୧୯୯୪ ଡିସେମ୍ବର ୧୨ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଜ୍ୟୋତି ବସୁ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ୧୯୭୭ରୁ ୨୦୦୦ ଯାଏ ଦୀର୍ଘ ୨୩ ବର୍ଷ ରାଜ୍ୟରେ ସରକାର ଦାୟିତ୍ଵ ସମ୍ଭାଳି ଥିଲେ। ପ୍ରଥମ ଥର ଲାଗି ୧୯୭୭ ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଗୋଗାଙ୍ଗ ଅପାଙ୍ଗ
ଗୋଗାଙ୍ଗ ଅପାଙ୍ଗ ୧୯୮୦ରୁ ୧୯୯୯ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଥିଲେ। ସେ ଦୀର୍ଘ ୧୯ ବର୍ଷ ଯାଏ ଏଠାରେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ସମ୍ଭାଳି ଥିଲେ।

ବୀରଭଦ୍ର ସିଂହ
ବୀରଭଦ୍ର ସିଂହ ହିମାଚଳ ପ୍ରଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିଛନ୍ତି। ଡିସେମ୍ବର ୨୦୧୭ରେ ବିଜେପିର ଜୟରାମ ଠାକୁରଙ୍କ ସରକାର ପୂର୍ବରୁ ୧୯୮୩ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୩ରୁ ୨୦୦୭ ଓ ୨୦୧୨ରୁ ୨୦୧୭ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ୫ମ ଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ବୀରଭଦ୍ର ସିଂହ।

ମାଣିକ ସରକାର
ମାଣିକ ସରକାର ୧୯୯୮ରୁ ୨୦୧୮ ଯାଏ ଅର୍ଥାତ୍ ୧୯ ବର୍ଷ କାଳ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ ଦୀର୍ଘ ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେଦିନଠାରୁ ଆଜିଯାଏ ଅପେରାଜୟ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି।

ଏମ୍. କରୁଣାନିଧି
ମୁଥୁୱେଲ୍ କରୁଣାନିଧି ଭାରତର ଜଣେ ବିଖ୍ୟାତ ଲେଖକ ଓ ରାଜନେତା ଭାବେ ପରିଚିତ। ସେ ଦୀର୍ଘ ୧୮ ବର୍ଷ କାଳ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୮ ଅଗଷ୍ଟ ୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।

ଯଶୱନ୍ତ ସିଂହ ପରମାର
ଯଶୱନ୍ତ ସିଂହ ପରମାର ଭାରତର ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ। ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ନେତା ଓ ହିମାଚଳ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ଦୀର୍ଘ ୧୮ ବର୍ଷ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୮୧ ମେ ୨ ତାରିଖରେ ତାଙ୍କର ତିରୋଧାନ ହୋଇଥିଲା।

ପ୍ରକାଶ ସିଂହ ବାଦଲ
ପ୍ରକାଶ ସିଂହ ବାଦଲ ଦୀର୍ଘ ୧୭ ବର୍ଷ କାଳ ପଞ୍ଜାବର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଛନ୍ତି।

୧୦ ବର୍ଷରୁ ଅଧିକ ସମୟ ରହିଥିବା ମୁଖ୍ୟମନ୍ତ୍ରୀ
ମୋହନ ଲାଲ୍ ସୁଖାଡିଆ: ରାଜସ୍ଥାନ
ପ୍ରତାପ ସିଂହ ରାଣେ: ଗୋଆ
ଏସସି ଜମିର: ନାଗାଲାଣ୍ଡ
ଶିଲା ଦୀକ୍ଷିତ: ଦିଲ୍ଲୀ
ଓକରାମ୍ ଇବୋବୀ ସିଂହ: ମଣିପୁର
ତରୁଣ ଗୋଗୋଇ: ଆସାମ
ରମଣ ସିଂହ: ଛତିଶଗଡ
ଶ୍ରୀ କୃଷ୍ଣ ସିହ୍ନା: ବିହାର
ବିଧାନ ଚନ୍ଦ୍ର ରାୟ: ପଶ୍ଚିମବଙ୍ଗ
ଜେ. ଜୟଲଳିତା: ତାମିଲନାଡୁ
ଏନ୍. ଚନ୍ଦ୍ରବାବୁ ନାଇଡୁ: ଆନ୍ଧ୍ରପ୍ରଦେଶ
ଶିବରାଜ ସିଂହ ଚୌହାନ: ମଧ୍ୟପ୍ରଦେଶ
ବିମଳା ପ୍ରସାଦ ଚାଲିହା: ଆସାମ
ନରେନ୍ଦ୍ର ମୋଦି: ଗୁଜରାଟ
ନୀତିଶ କୁମାର: ବିହାର
ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ: ଓଡ଼ିଶା
