ନବନୀତା ବ୍ୟୁରୋ। ନୂଆ ମ୍ୟାନୁଫ୍ୟାକ୍ଟରିଙ୍ଗ ହବ୍ ଆଡକୁ ଅଗ୍ରସର ହେଉଛି ଓଡ଼ିଶା। ରାଜ୍ୟର ୧୧ଟି ଜିଲ୍ଲାରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାରବେଳ ଭବନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ ପ୍ରକଳ୍ପର ଶୁଭାରମ୍ଭ ଓ ୨୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ। ୧୦ ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ୮,୯୩୯ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ବାରା ୧୨ ହଜାର ୧୪୨ ଜଣ ନିଯୁକ୍ତି ପାଇବେ। ତେବେ ରାଜ୍ୟରେ ଶିଳ୍ପ ଲାଗି ଅନୁକୂଳ ବାତାବରଣ ସହ ଦକ୍ଷ ଶିଳ୍ପନୀତି ଯୋଗୁଁ ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି ଓଡ଼ିଶା।
ଏ ଅବସରରେ ଓଡ଼ିଶା ଚଳଚ୍ଚିତ୍ର ନିଗମର ସ୍ଵତନ୍ତ୍ର ୱେବସାଇଟ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳଚ୍ଚିତ୍ର ସୁଟିଂ ଲାଗି ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହେବ। ଏଥିସହ ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନାର ସମ୍ପ୍ରସାରଣ ଲାଗି ୧୯.୯୫ କୋଟି ଟଙ୍କା ଖର୍ଚ୍ଚ ହେବ। ତାସହ ଓଡ଼ିଶାରେ ଶ୍ରୀ ସିମେଣ୍ଟ ମଧ୍ୟ କାରଖାନା କରିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଭିକେ ପାଣ୍ଡିଆନ, ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
