ନବନୀତା ବ୍ୟୁରୋ। MCL ବିରୁଦ୍ଧରେ ସଂଘାତିକ ଅଭିଯୋଗ। ସ୍ଥାନୀୟ ପିଲାଙ୍କୁ ମିଳୁନି ନିଯୁକ୍ତି, ହେଲେ ଅଣ ଓଡ଼ିଆ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉଛି। ଏନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳ ବିଧାୟକ କିଶୋର କୁମାର ମହାନ୍ତି ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସେମାନଙ୍କ ଅଭିଯୋଗ ଆମ ଖଣି ପାଣି ବ୍ୟବହାର କରି ଆମକୁ ଅବହେଳା କରୁଛି ଏମସିଏଲ ।

ବ୍ରଜରାଜନଗର ବିଜେଡ଼ି ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ, କଂପାନୀ ଲାଗି ଆମେ ଖଣି, ଜଙ୍ଗଲ ଓ ଜଳ ଦେଇ ଓଲଟା ଧୂଳି ଧୂଆଁ ଖାଇବୁ। ହେଲେ ଚାକିରି ଦେବା ବେଳକୁ ସ୍ଥାନୀୟ ପିଲାଙ୍କୁ ଅଣଦେଖା କରି ବାହ୍ୟ ନିଯୁକ୍ତି ଅଣ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦିଆଯାଉଛି। ଏପରିକି ୨୩୭୩ ପିଲାଙ୍କ ମଧ୍ୟରୁ କେବଳ ୧୦ ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁଛି। ଦକ୍ଷତା ଥିବା ପରେ ବି ସ୍ଥାନୀୟ ନିଯୁକ୍ତି ପରିବର୍ତ୍ତେ ବାହାର ଲୋକଙ୍କୁ ଦିଆଯାଉଥିବାରୁ ଗୃହରେ ଉଦବେଗ ପ୍ରକାଶ ପାଇଛି।

ଏନେଇ ସରକାରଙ୍କୁ ରୋକ୍ ଠୋକ୍ ଜଣାଇ ଦିଆଯିବ ସହ ଖଣି ମନ୍ତ୍ରୀ ମାଧ୍ୟମରେ ଏ ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ନ ହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବ ସେନେଇ ଏମସିଏଲ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କହିଛନ୍ତି କିଶୋର ଓ ବ୍ରଜ। ଏନେଇ ଦୃଷ୍ଟି ଦେବାକୁ ଖଣି ବିଭାଗକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ କମ୍ପାନୀରେ ନିଯୁକ୍ତି ନେଇ ସ୍ଥାନୀୟ ପିଲାଙ୍କୁ ଅବହେଳା ଅଭିଯୋଗ ସଂପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ କମ୍ପାନୀ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
