ପୂର୍ବତନ ବିଧାୟିକା ରୀତା ସାହୁଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ମିଶନ ବିଜେପୁରରାଜନୀତି

ନବନୀତା ବ୍ୟୁରୋ । ବିଜେପୁର ଉପନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରୀତା ସାହୁଙ୍କୁ ପୁଣି ଥରେ ମୈଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଏନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରୀତା ସାହୁଙ୍କ ନାଁ ଘୋଷଣା କରିଛନ୍ତି । ଆସନ୍ତା ୩୦ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ସେପଟେ ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ବିଧାୟିକା ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ । ତେବେ ବିକାଶକୁ ମୁଖ୍ୟ ପ୍ରସଂଗ କରି ନିର୍ବାଚନ ଲଢ଼ିବା ସହ ଗଂଗାଧର ମେହେର ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପ୍ରଥମ ଲକ୍ଷ୍ୟ ବୋଲି ରୀତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୁୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ ଉପନିର୍ବାଚନରେ ରୀତା ସାହୁଙ୍କୁ ବିଜେଡି ନିର୍ବାଚନ ମୈଦାନକୁ ଓହ୍ଲାଇ ଗୋଟି ଚାଳନାରେ ସଫଳ ହୋଇଥିଲା । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ରୀତା ସାହୁଙ୍କ ଉପରେ ଦଳ ଆସ୍ଥା ହରାଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ଛିଡ଼ା ହୋଇଥିଲେ । ନବୀନ ପଟ୍ଟନାୟକ ବିଜେପୁର ସହ ହିଂଜିଳି ଉଭୟ ଆସନରେ ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ହିଂଜିଳି ଆସନ ରଖି ବିଜେପୁର ସିଟ ଛାଡ଼ିବା ପରେ ପୁଣି ଥରେ ବିଜେପୁରର ଉପନିର୍ବାଚନ ହେଉଛି । ତେବେ ଏଥର ଅନେକ ନେତା ଟିକଟ ଲାଗି ଆଶାୟୀ ଥିଲେ । ଏପରିକି ପୂର୍ବତନ ସାଂସଦ ପ୍ରଭାସ ସିଂ, ପ୍ରଭାତଆଦିତ୍ୟ ମିଶ୍ର ଟିକେଟ ଆଶାୟୀ ଥିବା କୁହାଯାଉଥିଲା । ହେଲେ ପୂର୍ବରୁ ପ୍ରଭାଦିତ୍ୟ ମିଶ୍ରଙ୍କୁ ଇପିକଲ ଅଧ୍ୟକ୍ଷ ଓ ସୁବାସ ଚୌହ୍ୱାନଙ୍କୁ ଡବ୍ଲୁଓଡିସି ଅଧ୍ୟକ୍ଷ ପଦବୀରେ ନିଯୁକ୍ତ କରାଯାଇଥିବାରୁ ରୀତା ସାହୁଙ୍କ ରାସ୍ତା ସଫା ଦେଖା ଯାଉଥିଲା । ଶେଷରେ ରୀତା ସାହୁଙ୍କ ଉପରେ ପୁଣି ଥରେ ଆସ୍ଥା ରଖି ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି ।
ତେବେ ବିଜେପୁର ଆସନ ନବୀନ ଛାଡିଥିବାରୁ ଏହି ସିଟ ପାଇଁ ବିଜେଡିର ସମ୍ମାନର ପ୍ରଶ୍ନ । ୨୦୧୮ରେ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଏହି ବ୍ୟବଧାନ ବୃଦ୍ଧି ପାଇ ୫୭ ହଜାରରେ ପହଞ୍ଚିଥିଲା । ଏବେ ଏହି ଭୋଟ ବ୍ୟବଧାନ ଆହୁରି ବଢ଼ାଇବାକୁ ଦଳୀୟ ନେତା, ମନ୍ତ୍ରୀ କର୍ମୀ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପୁରା ଦାୟିତ୍ୱ ଦିଆଯାଇଛି । ତାଙ୍କୁ ସହଯୋଗ କରିବା ଲାଗି ଅନେକ ମନ୍ତ୍ରୀ, ବରିଷ୍ଠ ନେତା, ନିଗଦ ଅଧ୍ୟକ୍ଷଙ୍କ ସହ କର୍ମୀ ଅଛନ୍ତି ।
ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦିଲୀପ ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନି । କୌଣସି ମୁହୂର୍ତ୍ତରେ ବିଜେପି ପ୍ରାର୍ଥୀର ନାଁ ଘୋଷଣା ହେବାର ସମ୍ଭାବନା ରହିଛି ।