ବିଜେପୁରରେ ବିଜେଡିର ଅନୋଖା ପ୍ରଚାର, ଲୋକଙ୍କ ମନ ମୋହିଲେ ଅଭିନେତ୍ରୀ ଅର୍ଚ୍ଚିତା

ମିଶନ ବିଜେପୁରରାଜନୀତି

ନବନୀତା ବ୍ୟୁରୋ । ବିଜେପୁର ଉପନିର୍ବାଚନ ଲାଗି ବିଜେଡିର ଅନୋଖା ପ୍ରଚାର । ଏଯାଏ ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ନିର୍ବାଚନୀ ପ୍ରଚାର ଜୋରସୋର ଆରମ୍ଭ ହୋଇଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ସଂପୂର୍ଣ୍ଣ ଭାର ଦିଆଯାଇଛି । ତା ସହ ମନ୍ତ୍ର ପ୍ରଫୁଲ୍ଳ ମଲ୍ଲିକ, ନିରଂଜନ ପୂଜାରୀ, ନବ ଦାଶ, ଟୁକୁନି ସାହୁ, ଦିବ୍ୟ ଶଙ୍କର ମିଶ୍ର ଆଦି ଅନେକ ମନ୍ତ୍ରୀ ଓ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସିଟରେ ମୁଖ୍ୟମନ୍ତ୍ରୀ ଜିତି ଥିବାରୁ ଦଳର ମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ବିଧାୟକ ସଂଜୟ ଦାଶବର୍ମାଙ୍କ ସହ ଅନେକ ନେତା ପ୍ରଚାରର ଦାୟିତ୍ୱ ନେଇଛନ୍ତି । ରୀତା ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଏଥିରେ କେଁ ପୁରାଇଛନ୍ତି ପୂର୍ବତନ ସାଂସଦ ପ୍ରଭାସ ସିଂ ଓ ବରିଷ୍ଠ ନେତା ପ୍ରଭାତଆଦିତ୍ୟ ମିଶ୍ର । ଏହାରି ମଧ୍ୟରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରିବେ ।
ତେବେ ପ୍ରାର୍ଥୀ ଘୋଷଣା ହୋଇନ ଥିଲେ ମଧ୍ୟ ଶୁକ୍ରବାର ବିଜେପୁରଠାରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରକାର କାର୍ଯ୍ୟକ୍ରମ ଜୋରସୋର ଭାବେ ଆରମ୍ଭ ହୋଇଛି । ଲୋକଙ୍କୁ ଆକର୍ଷିତ କରିବା ଲାଗି ଏଠାରେ ମହିଳା ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟର ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବ୍ଲକ ଅଧ୍ୟକ୍ଷା ମାନିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ହେଲେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି କାର୍ଯ୍ୟକ୍ରମରେ ଦଳର ନେତା କର୍ମୀ ତଥା ବିପୁଳ ପରିମାଣରେ ଜନସାଧାରଣଙ୍କ ସମାଗମ ହୋଇଥିଲା ।
ସେପଟେ କଂଗ୍ରେସ ପକ୍ଷରୁ ପ୍ରଥମେ ଦିଲ୍ଲୀପ ପଣ୍ଡାଙ୍କୁ ମୈଦାନକୁ ଛାଡ଼ିଥିବା ବେଳେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣାରେ ପଛରେ ଅଛନ୍ତି । ଅର୍ଥାଭାବ ବାହାନା ଦେଖାଇ ନିର୍ବାଚନୀ ଯୁଦ୍ଧ ପୂର୍ବରୁ ମୈଦାନ ଛାଡ଼ିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ପୂର୍ବରୁ କଂଗ୍ରେସର ଗଡ଼ କୁହାଯାଇଥିବା ବିଜେପୁରକୁ ଅକ୍ତିବାର କରିବା ପାଇଁ ଦଳ ପକ୍ଷରୁ ସେଭଳି ମାନସିକତା ଦେଖାଉନଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପେଟ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନିର୍ବାଚନ ରଣନୀତି ପ୍ରସ୍ତୁତ ଚଳାଇଛି । ହେଲେ ପାଟକୁରା ଭଳି ବିଜେପୁରରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିବ ନି ତ! ଏ ସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଆଗକୁ ଜଣା ପଡ଼ିବ କେଉଁ ଦଳ କେମିତି ନିର୍ବାଚନ ମୈଦାନରେ ଓହ୍ଲାଇ ଲୋକଙ୍କ ମନ ଜିଣୁଛନ୍ତି ।