ଭୁଟାନ ରୟାଲ ୟୁନିଭରସିଟିର ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ଉଦବୋଧନ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା, ଭୁବନେଶ୍ୱର/ଦିଲ୍ଲୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଭୁଟାନ ଗସ୍ତ ଶେଷ । ଦ୍ୱିତୀୟ ଦିନରେ ମୋଦି ରୟାଲ ୟୁନିଭରସିଟିର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ସେ କହିଛନ୍ତି ଯେ, ସମସ୍ତେ କଠିନ ପରିଶ୍ରମ କରି ଦେଶକୁ ଆହୁରି ଉପରକୁ ନିଅନ୍ତୁ । ସେ ଆହୁରି କହିଛନ୍ତି ଯେ, ଯୁବ ପିଢ଼ିଙ୍କ ଲାଗି ଏହାଠୁ ଅଧିକ ଭଲ ସୁଯୋଗ ମିଳିବ ନାହିଁ । ଏବେ ଭାରତୀୟ ବିଶ୍ୱବିଦ୍ୟାଳୟରେ ୪ ହଜାରରୁ ଅଧିକ ଭୁଟାନ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।
ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭୁଟାନ ଗସ୍ତ । ଏ ଅବସରରେ ଭୁଟାନର ରାଜଧାନୀ ଥିଂପୁ ସ୍ଥିତ ରୟାଲ ୟୁନିଭରସିଟିର ଛାତ୍ରଛାତ୍ରୀଙ୍କୁ ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, ନିଜ ପରିଶ୍ରମ ବଳରେ ଭୁଟାନ ଆଜି ଉଚ୍ଚକୁ ଛୁଇଁବାକୁ ଯାଉଛି । ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ମୋଦି କହିଥିଲେ, ଭୁଟାନ ମଧ୍ୟ ନିଜ ସାଟେଲାଇଟ ଉତକ୍ଷେପଣ କରିବାକୁ ପସ୍ତ୍ରୁତି ଚଳାଇଛି । ଭୁଟାନର ଯୁବ ବୈଜ୍ଞାନିକ ଭାରତକୁ ଆସିବେ ଓ ସାଟେଲାଇଟ ଡିଜାଇନ ଏବଂ ଉତକ୍ଷେପଣ ଉପରେ କାମ କରିବେ । ମୋଦି ଆହୁରି କହିଛନ୍ତି ଯେ, ଏଠାରେ ବସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ବୈଜ୍ଞାନିକ, ଇଂଜିନିୟର ଓ ଆବିଷ୍କାରକ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ଅବସରରେ ମୋଦି ନିଜ ପୁସ୍ତକ ଏକଜାମ ୱାରିୟର୍ସ ସଂପର୍କରେ ଉଦାହରଣ ଦେଇଥିଲେ । ଭୟଭୀତ ନ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ ମୋଦି । ଶନିବାର ମୋଦି ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏ ଅବସରରେ ୧୦ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ସେ ମଧ୍ୟରେ ସ୍ପେସ୍ ରିସର୍ଚ, ଆଇଟି,ଉଡାୟନ, ଶକ୍ତି ଓ ଶିକ୍ଷା ସାମିଲ ରହିଛି । ଏଥିସହ ମୋଦି ଭୁଟାନରେ ରୁପେ କାର୍ଡର ମଧ୍ୟ ଶୁଭାରମ୍ଭ କରିଛନ୍ତି ।