ଜମ୍ମୁ କାଶ୍ମୀରରେ ଫୋନ୍ ସେବା ଆରମ୍ଭ

ଦେଶ ଓ ବିଦେଶବଡ଼ ଖବର

ନବନୀତା, ଭୁବନେଶ୍ୱର/ଦିଲ୍ଲୀ । ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଜମ୍ମୁ କାଶ୍ମୀର । ଧୀରେ ଧୀରେ ସ୍ଥିତି ପରିବର୍ତ୍ତନ ହେଉଛି । ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ପ୍ରଥମ ଥର ପାଇଁ କିଛି ଅଂଚଳରେ ମୋବାଇଲ ଇଂଟରନେଟ୍ ସେବା ଆରମ୍ଭ ହୋଇଛି । ଜମ୍ମୁ, ରିୟାସି, ସାଂବା, କଠୁଆ ଏବଂ ଓଧମପୁର ଅଂଚଳରେ ମୋବାଇଲ ସେବାକୁ ପୁଣି ଥରେ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଧାରା ୩୭୦ ଉଚ୍ଛେଦ କରିବା ପରେ ଘାଟିରେ ହିଂସା ଆଶଂକା କରି କେନ୍ଦ୍ର ସରକାର ମୋବାଇଲ ଇଂଟରନେଟ୍ ଏବଂ ମୋବାଇଲ ସେବା ବନ୍ଦ କରିବାକୁ ନିଷ୍ପତି ନେଇଥିଲେ । ଏଥିସହ କାଶ୍ମୀର ଘାଟି ସ୍ଥିତ ୧୭ ଏକ୍ସଚେଂଜରେ ମଧ୍ୟ ମୋବାଇଲ ସେବା ଆରମ୍ଭ ହୋଇଛି ।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଶହେରୁ ଅଧିକ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟରୁ ୧୭ ଏକ୍ସଚେଂଜକୁ ଚାଲୁ କରି ଦିଆଯାଇଛି । ସେଥି ମଧ୍ୟରେ ସିଭିଲ ଲାଇସେନ୍ସ ଅଂଚଳ, ଛାବନୀ କ୍ଷେତ୍ର, ଶ୍ରୀନଗର ଜିଲ୍ଲାର ହୱାଇ ଆଡ୍ଡା ନିକଟରେ ଥିବା ଏକ୍ସଚେଂଜ ରହିଛି । ଏଥିସହ ମଧ୍ୟ କାଶ୍ମୀରରେ ବଡଗାମ, ସୋନମର୍ଗ ଓ ମନିଗମରେ ଲ୍ୟାଣ୍ଡଲାଇନ ସେବା ପୁନାର୍ବାର ଚାଲୁ ହୋଇଛି । ଉତ୍ତର କାଶ୍ମୀରରେ ଗୁରେଜ, ତଂଗମାର୍ଗ, ଉରି କେରନ କରନାହ ଓ ତଂଗଧାର ଏରିଆରେ ଏହି ସେବା ଆରମ୍ଭ ହୋଇଛି । ଅନ୍ୟପଟେ ଦକ୍ଷିଣ କାଶ୍ମରୀରେ କାଜିଗୁଂଡ ଏବଂ ପହଳଗାମ ଅଂଚଳରେ ଲ୍ୟାଣ୍ଡଲାଇନ ସେବା ଚାଲୁ ହୋଇଛି ।
ମୁଖ୍ୟ ସଚିବ ବିବିଆର ସୁବ୍ରମଣ୍ୟମଙ୍କ କହିବା ଅନୁସାରେ, ଅନୁଚ୍ଛେଦ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରରେ ପରିସ୍ଥିତିରେ ସୁଧାର ଆସୁଛିି । ଶନିବାର ଘାଟିରେ ଅଧିକାଂଶ ଫୋନ୍ ଚାଲୁ କରି ଦିଆଯାଇଛି । ସୋମବାର ସ୍କୁଲ- କଲେଜ ମଧ୍ୟ ଖୋଲିବ । ଏଥିସହ ବିଭିନ୍ନ ସରକାରୀ ଅଫିସରେ ଉପସ୍ଥାନ ମଧ୍ୟ ବଢିଛି । ତେଣୁ ସୋମବାରରୁ ଅଫିସ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଆତଙ୍କୀ ସଂଗଠନ ତଥା ପାକିସ୍ତାନର ଜୋରଦାର ଉଦ୍ୟମ ପରେ ମଧ୍ୟ ରାଜ୍ୟରେ କୌଣସି ଅପ୍ରିତିକର ଘଟଣା ଘଟି ନାହିଁ ।