ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରବର୍ତ୍ତୀ ଅଧ୍ୟକ୍ଷ କିଏ?

ଓଡ଼ିଶାରାଜନୀତିସ୍ପେଶାଲ

ନବନୀତା,ଭୁବନେଶ୍ୱର: ସରିଲା ପାଟକୁରା ନିର୍ବାଚନ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କୁ ହରାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ମିଶନ୍ ପାଟକୁରା ରେ ସଫଳତା ପାଇବା ପରେ ବିଜେଡି ଶିବିରରେ ନେତା, କର୍ମୀ ଉତ୍ସାହିତ। ଏବେ ପରାଜିତ ପ୍ରାର୍ଥୀ, ସଙ୍ଗଠନରେ ଜଡ଼ିତ ନେତାଙ୍କୁ ଥଇଥାନ କରିବାର ବେଳ। ସାଧାରଣ ନିର୍ବାଚନ ପରେ ବିଜେଡି ନେତା ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ପଠାଇ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ବିଭିନ୍ନ ନିଗମ ଓ ପରିଷଦରେ ଥଇଥାନ ପାଇଁ ନେତାମାନେ ଲବି ଚଳାଇଛନ୍ତି।

ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରେ କାହାକୁ ଥଇଥାନ କରାଯିବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଗତ ଜୁନ୍ ମଧ୍ୟରୁ କିଶୋର ମହାନ୍ତିଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଏଯାଏ ନୂଆ ଅଧ୍ୟକ୍ଷ ନିଯୁକ୍ତି କରାଯାଇ ନି। କ୍ୟାବିନେଟ୍ ପାହ୍ୟା ର ଏ ପଦବୀ କାହାକୁ ମିଳିବ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି। ରାଜନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଥିବା ବିକାଶ ପାଇଁ ଅନେକ ନେତା ଲବି ଚଳାଇଛନ୍ତି। ହେଲେ ଚର୍ଚ୍ଚାରେ ସର୍ବାଗ୍ରେ ରହିଛନ୍ତି ସମ୍ବଲପୁରର ପରାଜିତ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ। କାରଣ ମୁଖ୍ୟମନ୍ତ୍ରୀଙ୍କ ୫ ମ ପାଳିରେ ସମ୍ବଲପୁର ଜିଲ୍ଲାରୁ କାହାକୁ ମନ୍ତ୍ରୀ ପଦ ମିଳିନି। ସେ ଦୃଷ୍ଟିରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଥଇଥାନ କରିବା ପାଇଁ ଜୋରଦାର ଚର୍ଚ୍ଚା ହେଉଛି।

ସମ୍ବଲପୁର ପରେ ସୁନ୍ଦରଗଡ଼ ଜିଲ୍ଲାର ଯୋଗେଶ ସିଂ ଙ୍କ ନା ବି ଚର୍ଚ୍ଚାରେ ରହିଛି। କଂଗ୍ରେସରୁ ଆସି ବିଜେଡି ଟିକଟ ହାତେଇବାରେ ସଫଳ ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ଠାରୁ ପରାଜିତ ହୋଇଥିଲେ। ଏଥିସହ ଏ ଜିଲ୍ଲାରୁ ମଧ୍ୟ କାହାକୁ ମନ୍ତ୍ରୀ ପଦ ଦିଆ ଯାଇନି। ତେଣୁ ପଶ୍ଚିମ ଓଡ଼ିଶାରେ ରାଜନୈତିକ ସନ୍ତୁଳନ ରକ୍ଷା କରିବା ପାଇଁ ଯୋଗେଶ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି। ସେପଟେ କଳାହାଣ୍ଡିର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନା ମଧ୍ୟ ଚର୍ଚ୍ଚାରେ ରହିଛି। ଜିଲ୍ଲାରୁ ମନ୍ତ୍ରୀପଦ ମିଳିଥିଲେ ବି ଅଭିଜ୍ଞ ତଥା ବରିଷ୍ଠ ନେତା ପୁଷ୍ପେନ୍ଦ୍ରଙ୍କୁ ଥଇଥାନ କରାଯିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବଲାଙ୍ଗିରର ପରାଜିତ ଲୋକସଭା ପ୍ରାର୍ଥୀ କଳିକେଶ ନାରାୟଣ ସିହଦେଓଙ୍କ ନାଁ ବି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି କଳିକେଶ ରାଜ୍ୟସଭା ପାଇଁ ଇଚ୍ଛୁକ ଥିବାରୁ ବିକାଶ ପରିଷଦ ପଦକୁ ମନା କରୁଛନ୍ତି।

କେବଳ ପରାଜିତ ପ୍ରାର୍ଥୀ ନୁହେଁ, ନିର୍ବାଚନରେ ଟିକଟ କଟି ଥିବା ନେତାଙ୍କୁ ମଧ୍ୟ ଥଇଥାନ କରାଯାଇପାରେ। ସେ ମଧ୍ୟରେ ଅଛନ୍ତି ଆୟୁବ ଖାଁ, ଅନୁପ ସାଏ, ପ୍ରଭାସ ସିଂ, ସୁବାସ ଚୌହାନ, ଯୋଗେନ୍ଦ୍ର ବେହେରା ଓ ପ୍ରକୃତୀ ଦେବୀ। ତେବେ ଏଥର ଜଣେ ରାଜନୈତିକ କି ଅଣ ରାଜନୈତିକ ବ୍ୟକ୍ତିକୁ ନିଯୁକ୍ତି ଦେବେ ତାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟାପାର।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ପରେ ପ୍ରଥମ ରାଜନୈତିକ ବ୍ୟକ୍ତି ଭାବେ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ ନରସିଂହ ମିଶ୍ର। ତା ପରେ ସ୍ବର୍ଗତ ଅଇଁଠୁ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହାପରେ ଜଣେ ଅଣ ରାଜନୈତିକ ବ୍ୟକ୍ତି ଶିକ୍ଷାବିତ୍ ନିରଂଜନ ପଣ୍ଡାଙ୍କୁ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ପୁଣି ରାଜନୈତକ ବ୍ୟକ୍ତିଙ୍କୁ ଥଇଥାନ କରାଗଲା। ପଦ୍ମିନୀ ଦେଓ ଓ କିଶୋର ମହାନ୍ତିଙ୍କୁ ବିକାଶ ପରିଷଦ ଅଧ୍ୟକ୍ଷ ପଦ ଦିଆଯାଇଥିଲା। ହେଲେ କିଶୋର ମହାନ୍ତିଙ୍କ କାର୍ଯ୍ୟକାଳ ଜୁନ୍ ୧୮ ରୁ ସମାପ୍ତ ହୋଇଥିଲେ ବି ଏ ପଦବୀରେ କାହାକୁ ଅବସ୍ଥାପିତ କରା ଯାଇନି। ତେବେ ଏଥର ପୁଣି ରାଜନୈତକ କି ଜଣେ ଅଣ ରାଜନୈତିକ ବ୍ୟକ୍ତିକୁ ନିଯୁକ୍ତି ମିଳୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।