ଏନ୍ଏନ୍ ବ୍ୟୁରୋ। ବିଲାଇସର୍ଡା ପଂଚାୟତରେ ପିଛା ଛାଡୁନି ବିବାଦ। ୪୪ ଲକ୍ଷରେ ସରପଞ୍ଚ ବିକ୍ରି ପରେ ଏବେ ପୁଣି ବିବାଦ ଘେରକୁ ଆସିଛି ପଞ୍ଚାୟତ। ପିଏମ୍ ଆବାସ କେଳେଙ୍କାରୀ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ ପରେ ଦୁର୍ନୀତିଗ୍ରସ୍ତ ସରକାରୀଙ୍କ ମଧ୍ୟରେ ଛନକା। ଗତ ୨୦୧୭ ରୁ ୨୨ ମଧ୍ୟରେ ହୋଇଥିବା ଆବାସ ଘର ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି। ଘର ନିର୍ମାଣ ନକରି ଟଙ୍କା ଉଠାଯାଇ ଥିବା ବେଳେ ଗୋଟିଏ ପ୍ଲଟରେ ଏକାଧିକ ଘର ନିର୍ମାଣ ହୋଇଥିବା ଦର୍ଶାଯାଇଛି। ଏପରିକି ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଜାଲିଆତି କରି ଟଙ୍କା ଉଠା ଯାଇଥିବା ନଜିର ରହିଛି।

ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ବିଲାଇସର୍ଡା ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ହଡ଼ପ ଘଟଣା ପଦାକୁ ଆସିବା ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ଏନେଇ ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ ଓ ସାଧାରଣ ଜନତା ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିବା ପରେ ଦୁର୍ନୀତିର ଖୋଳତାଡ଼ ଆରମ୍ଭ ହୋଇଛି। ସମ୍ବଲପୁର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଜଣେ ଡିଏସପିଙ୍କ ନେତୃତ୍ୱରେ ବିଲେଇସର୍ଡା ପଞ୍ଚାୟତକୁ ଯାଇ ଛନାଭିନ କରିଛନ୍ତି। ପଞ୍ଚାୟତର ବନ୍ଦନାକଟାର ୧୭ଟି ଘର, କଶୃପାଲିରେ ଦୁଇଟି ଓ ବିଲେଇସର୍ଡ଼ା ଗାଁରେ ୧୨ଟି ଆବାସ ଘର ଚଞ୍ଚକତା କରାଯାଇ ଟଙ୍କା ହଡ଼ପିଥିବା ଜଣା ପଡ଼ିଛି। ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ଘର ମଧ୍ୟରେ ପୂର୍ବତନ ସରପଂଚଙ୍କ ମଧ୍ୟ ଘର ରହିଛି। ଏଥିସହ ଫରଜରି କରି ଆବାସ ଘର ନିର୍ମାଣ ହୋଇଥିବା ତିନି ଗାଁର ସବୁ ଘରକୁ ଯାଇ ଭିଜିଲାନ୍ସ ଅଧିକାରୀ ପଚରା ଉଚରା କରିଛନ୍ତି I ଆବଶ୍ୟକସ୍ଥଳେ ପ୍ଲଟର ମାପଚୁକ ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ, ବିଲାଇସର୍ଡା ଗାଁରେ ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଯୋଜନା ଟଙ୍କା ଉଠା ଯାଇଥିବାର ଜଣା ପଡିଥିଲା। ଏପରିକି ଅନେକ ଭୂତ ହିତାଧିକାରୀଙ୍କ ନାଁରେ ଆବାସ ଟଙ୍କା ଗତ ୨୦୧୭-୧୮ ଓ ୨୦୨୧-୨୨ ବର୍ଷରେ ଟଙ୍କା ହଡ଼ପ ହୋଇଥିବା ଜଣା ପଡ଼ିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ ମୃତ ହିତାଧିକାରୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏନେଇ ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଥିଲେ।
ଆବାସ ଘୋଟାଲା ନେଇ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ। ଏବେ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଭିଜିଲାନ୍ସ ଟିମ ବିଲାଇସର୍ଡା ପଞ୍ଚାୟତକୁ ଯାଇ ସରଜମିନ ତଦନ୍ତ କରିବା ପରେ ତତ୍କାଳୀନ ସରକାରୀ କର୍ମଚାରୀଙ୍କ ଭାଳେଣି ପଡ଼ିଲାଣି। ଦୁର୍ନୀତିରେ ତତ୍କାଳୀନ ପିଇଓ, ପୂର୍ବତନ ସରପଞ୍ଚ, ଜିଓଟେଗ, ଜିଆରଏସଙ୍କ ସହ ବ୍ଲକ୍ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଛି। ତେବେ ତଦନ୍ତ ବେଳେ ସେସମୟର ପିଇଓଙ୍କ ସହ ଅନ୍ୟ କିଛି କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଜିଆରଏସ୍ ଓ ଜିଓଟେଗ ଅନୁପସ୍ଥିତ ରହିଥିଲେ।

ଗତ ୨୦୧୭-୨୨ ବର୍ଷରେ ପଞ୍ଚାୟତରେ ଜଣେ ମହିଳା ସରପଞ୍ଚ ଦାୟିତ୍ୱରେ ଥିଲେ। ହେଲେ ସେ କେବଳ ନାମକୁ ମାତ୍ର ସରପଞ୍ଚ ଥିବା ବେଳେ ଜଣେ ଠିକାଦାର ପଞ୍ଚାୟତର ସବୁ କାର୍ଯ୍ୟ ବୁଝୁଥିଲେ। ସଂପୃକ୍ତ ଠିକାଦାରଙ୍କ ଦ୍ଵାରା ହିଁ ସବୁ ଦୁର୍ନୀତି ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କେବଳ ଆବାସ ନିର୍ମାଣ ନୁହଁ, ଗୋଚର ଜମିରେ ଷ୍ଟାଡିୟମ୍ ନିର୍ମାଣ, ପୋଖରୀରେ ମାଟି କାମ, ଜମି ଉନ୍ନତିକରଣ, ବୃକ୍ଷରୋପଣ ଭଳି ପ୍ରାୟ ସବୁ ଯୋଜନାରେ ବ୍ୟାପକ ଘୋଟାଳା ହୋଇଛି। ତେବେ ଏବେ କେବଳ ଆବାସ ଯୋଜନାରେ ଭିଜିଲାନ୍ସ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟରେ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିବ ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଶ୍ନ ଉଠୁଛି, ଆବାସ ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବେ ସେ ଉପରେ ସମସ୍ତଙ୍କ ନଜର।
