“ସିଂ ଇଜ୍ କିଂ” ଭଟଲି ବିଧାୟକ ସୁଶାନ୍ତ ସିଂ

ଓଡ଼ିଶାରାଜନୀତି

ଭୁବନେଶ୍ୱର: ସିଂ ଇଜ୍ କିଂ । ଭଟଲି ବିଧାୟକ ସୁଶାନ୍ତ ସିଂ । ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିରେ ତାଙ୍କୁ ପୁଣି ଥରେ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଛି । ପୂର୍ବରୁ ଶକ୍ତି ଓ ଶ୍ରମ ବିଭାଗ ମିଳିଥିବା ବେଳେ ନବୀନଙ୍କ ପଂଚମ ଇନିଂସରେ ତାଙ୍କୁ ମିଳିଛି ଶ୍ରମ ସହ ଗ୍ରାମ୍ୟ ଉନ୍ନୟନ । ପଶ୍ଚିମ ଓଡ଼ିଶାର ଭଟଲି ବିଧାନସଭାରୁ ପ୍ରତିନିଧିତ୍ୱ କରୁଥିବା ସୁଶାନ୍ତ ଏଥରକୁ ମିଶାଇ ଲଗାତର ୩ ଥର ହେଲା ବିଜୟୀ ହୋଇ ଆସୁଛନ୍ତି । ଏଥିସହ ପଶ୍ଚିମ ଓଡ଼ିଶାରେ ତାଙ୍କର କାଟତି ବଢ଼ିବା ସହ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କୁ ଓଜନଦାର ମନ୍ତ୍ରୀ ପଦ ଉପହାର ଦେଇଛନ୍ତି ।
ଏଥର ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ଠିଆ ହୋଇ ୫୫ ହଜାରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଏଠାକାର ସମସ୍ତ ଦାୟିତ୍ୱ ନେଇଥିଲେ ଖୋଦ୍ ସୁଶାନ୍ତ ସିଂ । ବରଗଡ ଲୋକସଭା କ୍ଷେତ୍ରର ସମସ୍ତ ୭ଟି ବିଧାନସଭାରେ ବିଜେଡି କ୍ଲିନ୍ ସ୍ୱିପ୍ କଲା । ହେଲେ ବରଗଡ଼ ଲୋକସଭା ଆସନ ବିଜେଡି ହାତରୁ ଖସି ବିଜେପିକୁ ଚାଲିଗଲା ।
ମୋଦି ହାୱାରେ ବିଜେପି ପୁରା ପଶ୍ଚିମ ଓଡ଼ିଶାରେ କ୍ଲିନ୍ ସ୍ୱିପ୍ କରିଛି । ହେଲେ ବିଧାନସଭା ଆସନରେ ସେତେଟା ଭଲ ପ୍ରଦର୍ଶନ କରି ପାରିନି । ଗତ ଥର ଭଳି ଏଥର ମଧ୍ୟ ୭/୮ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି । ତେବେ ଲୋକସଭାରେ ବିଜେଡି ପଶ୍ଚିମରୁ ଖାତା ଖୋଲି ପାରିନଥିଲେ । ହେଲେ ବିଧାନସଭାରେ ଭଲ ପ୍ରଦର୍ଶନ କରିଛି ବିଜେଡି ।
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ୍ । ଗତ ୨୦୦୯, ୨୦୧୪ ଓ ୨୦୧୯ କ୍ରମାଗତ ଭାବେ ସେ ଭଟଲି ଆସନରୁ ଜିତି ଆସୁଛନ୍ତି । ନିଜ ଅଂଚଳର ବିକାଶ, ବିଭିନ୍ନ ଉନ୍ନୟନମୂଳକ କାମ, ଲୋକଙ୍କ ସହ ସୁସଂପର୍କ ରଖୁଥିବାରୁ ସେ ଲଗାତର ୩ ଥର ହେଲା ବିଜୟୀ ହୋଇ ଆସୁଛନ୍ତି । ଏପରିକି ନିଜ ସ୍ୱାସ୍ଥ୍ୟ ଠିକ୍ ନଥିବା ସତ୍ତେ୍ୱ ସେ ଦୁର୍ଘଟଣାସ୍ଥଳକୁ ଯାଇ ଲୋକଙ୍କ ଦୁଃଖ କଥା ଶୁଣିଥିଲେ । ପୂର୍ବରୁ ମର ଶରୀରକୁ କାନ୍ଧରେ ବୋହି ନେବା ଫଟୋ ଭାଇରାଲ ହୋଇଥିଲା । ଏଥିରୁ ବାରି ହୋଇ ପଡୁଛି ଯେ, ଦୁଃଖ ହେଉ କି ସୁଖ ସେ ସବୁ ସମୟରେ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି । ତାଙ୍କର ଏଭଳି ମହତ କାର୍ଯ୍ୟ ଯୋଗୁଁ ଲୋକେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ତାଙ୍କ ମନ୍ତ୍ରୀ ହେବା ସମୟରେ ସ୍ଥାନୀୟ ଅଂଚଳରେ ଅନେକ କାର୍ଯ୍ୟ କରିଥିବା ବେଳେ ଗଂଗାଧର ସେତୁ ତାଙ୍କ ଆଗରେ ଏବେ ଚ୍ୟାଲେଂଜ ହୋଇ ଠିଆ ହୋଇଛି । ଏଥିସହ ପଶ୍ଚିମ ଓଡ଼ିଶାରେ ଦାଦନ ଶ୍ରମିକ ଚାଲାଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏହାର ସମାଧାନ ଦିଗରେ କିଭଳି ପଦକ୍ଷେପ ନେଇ ଦାଦନ ଚାଲାଣକୁ ସଂପୂର୍ଣ୍ଣ ଭାବେ ରୋକି ପାରୁଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିିଛି । ସେ ସମସ୍ୟା ଯାହା ହେଉନା କାହିଁକି ପୂର୍ବ ଥର ଭଳି ଏଥର ମଧ୍ୟ ସେ ସଫଳତାର ସହ ତାଙ୍କ ମନ୍ତ୍ରୀ କାର୍ଯ୍ୟ ତୁଳାନ୍ତୁ ଏହା ହିଁ ନବନୀତା ପରିବାର ପକ୍ଷରୁ କାମନା କରୁଛୁ ।