ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିରରେ ରାଜସ୍ୱ ଓ ଭୂଅର୍ଜନ ସମୀକ୍ଷା l ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର କନଫରେନ୍ସ ହଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସମୀକ୍ଷା କରିଥିଲେ l ବୈଠକରେ ବଲାଙ୍ଗିର ଜିଲ୍ଲାର ସମସ୍ତ ତହସିଲରେ କାର୍ଯ୍ୟକାରିତା ହେଉଥିବା ଯୋଜନାର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ପୂର୍ବରୁ ପ୍ରଦାନ କରାଯାଇଥିବା ଘରବାଡି ଜମିର ଚିହ୍ନଟ, ଶିକ୍ଷାନୁଷ୍ଠାନ ଗୁଡିକର ଆବଶ୍ୟକତା ମୁତାବକ ଜମିର ନିୟମିତକରଣ, ଜଙ୍ଗଲ ଜମି ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ପଟ୍ଟା ବଣ୍ଟନ, ସିକିମ୍, ବେବନ୍ଦୋବସ୍ତ ଓ ଜଙ୍ଗଲ ଜମି ଅଧିକାର ଅଧିନିୟମ ଅନ୍ତର୍ଗତ ବିଭିନ୍ନ ସମସ୍ୟାର ସମାଧାନ ଦୁଇ ମାସ ମଧ୍ୟରେ ଫଇସଲା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ସର୍ବେକ୍ଷଣ ଅନୁସାରେ ଗୋଚର ଜମିରେ ରହୁଥିବା ଲୋକଙ୍କୁ ଥଇଥାନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇ, ବୃଦ୍ଧ, ଅସହାୟ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ପଡ଼ିରହିଥିବା ଜମିଜମା ସମ୍ବନ୍ଧୀୟ, ରାଜସ୍ୱ, ଅଦାଲତ ମାମଲାଗୁଡିକର ତ୍ୱରିତ ଫଇସଲା କରିବା, ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଭାଗ ଇତ୍ୟାଦିର ଅବ୍ୟବହୃତ ଜମିକୁ ସରକାରୀ ଖାତାକୁ ଫେରସ୍ତ ଆଣି, ବିଭିନ୍ନ ଉନ୍ନୟନ ଯୋଜନା ନିମନ୍ତେ ପ୍ରଦାନ କରିବା, ବିଭିନ୍ନ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା l ସରକାରୀ ଜମିର ସୁରକ୍ଷା ଓ ଏହାର ଜବରଦଖଲକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ତହସିଲଦାର ଏବଂ ଉପଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବଲାଙ୍ଗିର ଜିଲ୍ଲାରେ ପ୍ରସ୍ଥାବିତ ରେଳ ପଥ ଓ ତୁଷୁରାର ବିମାନପଥ ଉନ୍ନତିକରଣ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ଯଥା ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ନୂତନ ଭାବେ ୧୦୦ କୋଟି ମୂଲ୍ୟର ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ପଦକ୍ଷେପ ଗୁଡିକ ଗ୍ରହଣ କରିବା ପାଇଁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଲୋୟର ସୁକତେଲ ଯୋଜନାର ବିସ୍ଥାପିତଙ୍କର ସମସ୍ୟା, ଅଭାବ ସାର ବିକ୍ରି ସମ୍ବନ୍ଧରେ ଉପସ୍ଥିତ ଅଧିକାରୀ ମାନଙ୍କୁ ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ରାଜସ୍ୱ ସେବା ଗୁଡିକ କିପରି ଭାବେ ସାଧାରଣ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚି ପାରିବ ସେଥିଲାଗି ତ୍ଵରିତ ପଦକ୍ଷପ ଗ୍ରହଣ କରିବା ସହ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜସ୍ୱ ଓ ଭୂ-ଅର୍ଜନ କ୍ଷେତ୍ରର ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସମୀକ୍ଷା ବୈଠକରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡାଃ. ବିଜୟାନନ୍ଦ ସେଠୀ, ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ପାଟଣାଗଡ ଉପଜିଲ୍ଲାପାଳ ସୁନିଲ କୁମାର ମେହେର, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସହ ସମସ୍ତ ତହସିଲଦାର ଓ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l

