ଏନ୍ଏନ୍ ବ୍ୟୁରୋ l ଭୁବନେଶ୍ୱରଠାରେ “ନବ-ଦୃଷ୍ଟି: ପିପୁଲ ଫାଷ୍ଟ, ଫିଉଚର ଫରୱାର୍ଡ଼” ବିଷୟବସ୍ତୁ ଆଧାରିତ ପ୍ରଥମ ଏଚଆର କନକ୍ଳେଭ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଏହି କନକ୍ଳେଭ ଆୟୋଜିତ ହୋଇଯାଇଛି l ନୂତନ ଯୁଗର ମାନବ ସଂସାଧନ ପରିଚାଳନା ପଦ୍ଧତି ଉପରେ ଚିନ୍ତନ ଏବଂ ପ୍ରତିଫଳନ ନିମନ୍ତେ ଖଣି, କୋଇଲା, ପେଟ୍ରୋଲିୟମ ଏବଂ ଧାତୁ ଶିଳ୍ପ ସହିତ ଜଡିତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାବିତ୍ ଏବଂ ମାନବ ସମ୍ବଳ କ୍ଷେତ୍ରରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି କନକ୍ଲେଭକୁ ଉଦଘାଟନ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ(ବିତ୍ତ) ଅଭୟ କୁମାର ବେହୁରିଆ, ମୁଖ୍ୟ ସତର୍କତା ଅଧିକାରୀ ପ୍ରଣବଜ୍ୟୋତି ନାଥ, ସେଲର ନିର୍ଦ୍ଦେଶକ (କାର୍ମିକ) କୃଷ୍ଣ କୁମାର ସିଂହ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାନବ ସମ୍ବଳ ଗ୍ରୁପ୍ ସଭାପତି ବିଜୟ କୁମାର ସାହୁ ଓ ଇଣ୍ଡିଆନ ଅଏଲର ପୂର୍ବତନ ନିର୍ଦ୍ଦେଶକ (ମାନବସମ୍ବଳ) ଡକ୍ଟର ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ଇଣ୍ଡିଆନ ଅଏଲ, ସେଲ, ଟାଟା ଷ୍ଟିଲ, ଏନଟିପିସି, ଏବଂ କୋଲ ଇଣ୍ଡିଆ ଭଳି ଦେଶର କେତେକ ପ୍ରମୁଖ କମ୍ପାନୀଗୁଡ଼ିକ ନିଜର ମାନବ ସମ୍ବଳ ପ୍ରୟାସ ଏବଂ ଅଭ୍ୟାସଗୁଡ଼ିକୁ ଉପସ୍ଥାପନା କରିଥିଲେ। କନକ୍ଲେଭରେ ଜ୍ଞାନ ଅଂଶୀଦାରଭାବେ ଅର୍ନଷ୍ଟ ଆଣ୍ଡ ୟଙ୍ଗ, ବିସିଜି, ଏବଂ ଏଏସସିଆଇ ମଧ୍ୟ ଭବିଷ୍ୟତର ମାନବ ସମ୍ବଳ ଅଭ୍ୟାସ ସମ୍ବନ୍ଧରେ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ନାଲକୋ ତଥା ମାନବ ସମ୍ବଳ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କ ଦ୍ୱାରା ବୃତ୍ତିଗତ ତଥା ଶିଳ୍ପ କ୍ଷେତ୍ରରେ ପ୍ରଚଳିତ ବିଭିନ୍ନ ସ୍ୱତନ୍ତ୍ର ଅଭ୍ୟାସ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
