ନବନୀତା, ଭୁବନେଶ୍ୱର: କର୍ଣ୍ଣାଟକରେ ନାଟକ ଜାରି । ସୋମବାର ବିଧାନସଭା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ତା ପୂର୍ବରୁ ୧୭ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ୟେୁଦ୍ୟୁରପ୍ପାଙ୍କୁ ବହୁମତ ସାବିତ କରିବାରେ ସହଜ କରି ଦେଇଛି । ରବିବାର କଂଗ୍ରେସ ଓ ଜେଡିଏସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେଆର ରମେଶ କୁମାର । ଅଯୋଗ୍ୟ ବିଧାୟକଙ୍କ ମଧ୍ୟରେ ଜେଡିଏସର ୩ ଓ କଂଗ୍ରେସର ୧୧ ଜଣ ଏମଏଲଏ ଅଛନ୍ତି ।
ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ହେଲେ କଂଗ୍ରେସର ବୈରାଠୀ ବାସୱରାଜ, ମୁନିରତନା, ଏସଟି ସୋମଶେଖର,ରୋଶନ ବେଗ, ଆନନ୍ଦ ସିଂ, ଏମଟିବି ନାଗରାଜ, ବିସି ପାଟିଲ, ପ୍ରତାପ ଗୌଡ଼ା ପାଟିଲ, କେ. ସୁଧାକର, ଶିବରାମ ହେବ୍ବର, ଶ୍ରୀମନ୍ତ ପାଟିଲ ସାମିଲ ଅଛନ୍ତି । ଏଥିସହ ଜେଡିଏସର କେ. ଗୋପାଳେଆ, ନାରାୟଣ ଗୌଡ଼ା, ଏଏଚ୍ ବିଶ୍ୱନାଥଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛି । ଏହି ଅଯୋଗ୍ୟ ବିଧାୟକମାନେ ୨୦୨୩ ପୂର୍ବରୁ ଉପନିର୍ବାଚନ ବି ଲଢ଼ି ପାରିବେ ନାହିଁ । କାରଣ ବିଧାନସଭାର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ରହିଛି । ଯଦି ନିର୍ଦ୍ଧିଷ୍ଟ ପୂର୍ବରୁ ବିଧାନସଭା ଭଂଗ ହୁଏ ତା ହେଲେ ୨୦୨୩ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ନିର୍ବାଚନ ଲଢ଼ି ପାରିବେ ।
ଏହା ପୂର୍ବରୁ ଗୁରବାର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିଲେ । ସେମାନେ ହେଲେ ରମେଶ ଜାରକିହୋଳି, ମହେଶ କୁମତଲ୍ଲୀ ଏବଂ ଆର, ଶଙ୍କର । ୧୪ ବିଧାୟକଙ୍କୁ ମିଶି ଏଯାଏ ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ସାରିଛନ୍ତି ବାଚସ୍ପତି ।
ସୋମବାର ୟେଦ୍ୟୁରପ୍ପା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ସହ ଶକ୍ତି ପରୀକ୍ଷା କରିବେ । ତେବେ ତାହା ପୂର୍ବରୁ ବାଚସ୍ପତି ୧୭ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଗୃହରେ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ଆଉ ଅସୁବିଧା ହେବ ନାହିଁ । କାରଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପରେ ଗୃହର ସଦସ୍ୟ ସଂଖ୍ୟା ୨୦୮କୁ ଖସି ଆସଛି । ହେଲେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିକୁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ସେତେ ବିଧାୟକ ବିଜେପି ପାଖରେ ଅଛି । ତେବେ ଆଗାମୀ ବାଚସ୍ପତି କିଏ ହେବ ସେନେଇ କିଛି ଜଣା ପଡିନି । ହେଲେ ବାଚସ୍ପତି ରମେଶ କୁମାର ତାଙ୍କ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଦେବା ପରେ ଗୃହରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଏହାପରେ ମେଂଟ ସରକାର ଭାଂଗି ଯାଇଥିବାରୁ ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
କର-ନାଟକ, ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି
