ଏନ୍ଏନ୍ ବ୍ୟୁରୋ। ବର୍ଷେ ହେଲା ମିଳୁନି ବୀମା ରାଶି। ଏ ଅଫିସରୁ ସେ ଅଫିସ ଧାଇଁ ନୟାନ୍ତ ହେବା ପରେ ଏବେ କୃଷି ମନ୍ତ୍ରୀଙ୍କୁ ଭେଟିଲେ ଚାଷୀ। ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ନିହାର ବେହେରାଙ୍କ ନେତୃତ୍ୱରେ ଲୋଇସିଂହା ଅଞ୍ଚଳର ଅନେକ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ଭେଟି ଗୁହାରି କରିଛନ୍ତି। ତାସହ ଅନ୍ୟନ୍ୟ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରି ବୀମା ରାଶି ପ୍ରଦାନ ପାଇଁ ନିବେଦନ କରିଥିଲେ।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ୫ଟି ପଞ୍ଚାୟତ ତଥା ଝାରଣିପାଲି, ନଗାଁ (ଖ ), ବଡ଼ଟୀକା, ବେନ୍ଦ୍ରା ଓ ନୁନିଆଁପାଲିର ଚାଷୀମାନେ ଗତ ବର୍ଷ ମରୁଡି ଯୋଗୁଁ ବହୁ କ୍ଷତିଗ୍ରସ୍ତ ହୋଇଥିଲେ। ଏପରିକି ୨୦୨୦-୨୧ ଖରିଫ୍ ଫସଲ ବୀମା କରି ମଧ୍ୟ ଏଯାଏ ନିଜ ପ୍ରାପ୍ୟ ପାଇ ନାହାନ୍ତି। ଏବେ ପୁଣି ଖରିଫ ଚାଷ ସମୟ ଆସିଥିବାରୁ ଏ ଅଞ୍ଚଳର ଚାଷୀମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।
କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି l ଏହା ପୂର୍ବତନ ମନ୍ତୀ ଯୋଗେନ୍ଦ୍ର ବେହେରାଙ୍କ ଦୃଷ୍ଟି ଗୋଚର ହେବା ପରେ ତାଙ୍କ ନିର୍ଦେଶ ଅନୁସାରେ, ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ନିହାର ରଞ୍ଜନ ବେହେରଙ୍କ ନେତୃତ୍ୱରେ ପାଞ୍ଚଟି ପଞ୍ଚାୟତର ଚାଷୀମାନେ ଭୁବନେଶ୍ବର ଯାଇଥିଲେ। ଏବଂ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜ୍ୟ କୃଷି ନିର୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ଆରସିଏସ ମୁଖ୍ୟ ଉଦ୍ଧବ ମାଝୀ ଓ କୃଷି ବୀମା କମ୍ପାନୀ (A.I.C) ଅଧିକାରୀଙ୍କୁ ଭେଟି ଏ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ଖୁବ୍ ଶୀଘ୍ର ଚାଷୀମାନେ ବୀମା ରାଶିପାଇବେ ବୋଲି ଆଶ୍ଵାସନା ଦେଇଥିଲେ କୃଷି ନିର୍ଦେଶକ।
ଏହି ଆଲୋଚନାରେ ବଡ଼ଟିକା ସମବାୟ ସଭାପତି କଳାର ସିଂ ବାଗ, ବୁରୋଭାଡି ସମବାୟ ସଭାପତି ଫକୀର ବିଶ୍ୱାଲ, ବିଜୁ ଜନତା ଦଳର ସକ୍ରିୟ କର୍ମୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, କୃଷକ ସାଥି ଶ୍ୟାମ ସୁନ୍ଦର ବିଶ୍ୱାଲ ଓ ହିତାଂଶୁ ସାହୁ ସାମିଲ୍ ଥିଲେ ।
