ଏନ୍ଏନ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ଉଷ୍ମତା। ଗାଁ ଗାଁରେ ଦେଖା ଦେଲାଣି ନିର୍ବାଚନୀ ମହୋଲ୍। ହେଲେ ଏସବୁ ଭିତରେ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାୟ ସବୁ ଦଳର ପ୍ରାର୍ଥୀ ଘୋଷଣା ହୋଇ ସାରିଲାଣି। ସେଥି ମଧ୍ୟରେ ଚର୍ଚ୍ଚାରେ ରହିଛି ପୁଇନ୍ତଲା ବ୍ଲକ୍ ଜିଲ୍ଲା ପରିଷଦ ଜୋନ୍ ୧୭। ଏହି ଆସନ ପାଇଁ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି। ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପି ଓ ବିଜେଡି ପ୍ରାର୍ଥୀ ନୋମିନେସନ ଭରିବେ। ଏବଂ ଏହି ଆସନ ଦଖଲ କରିବା ପାଇଁ ସମସ୍ତ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ନିଶ୍ଚିତ।
ବିଜେଡ଼ି ଅଞ୍ଚଳ ହେଲେ ବି ଗତ ନିର୍ବାଚନରେ ଏହି ଆସନ ବିଜେପି ଦଖଲରେ ରହିଥିଲା। ଏଥର ବିଜେପି ଜଣେ ଅଭିଜ୍ଞ ତଥା ପୋଖତ ନେତାକୁ ମଇଦାନକୁ ଓହ୍ଲାଇଛି। ୨୦୦୭ ମସିହାରେ ଏହି ଆସନରୁ ବିଜେଡ଼ି ଟିକଟରୁ ପ୍ରଥମ ଥର ଲଢି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୧୨ ମସିହାରେ ୧୯ ନମ୍ୱର୍ ଜୋନରୁ ଲଢି ପୁନଃ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିଲେ। ଏବେ ସେହି ପ୍ରାର୍ଥୀଙ୍କୁ ପୁଣି ଥରେ ୧୭ ନମ୍ୱର୍ ଜୋନରେ ମଇଦାନକୁ ଛାଡିଛି ବିଜେପି। ପୋଖତ ରାଜନୀତିଜ୍ଞ ତଥା ବରିଷ୍ଠ ବିଜେପି ନେତା ଶିବଦତ୍ତ ମିଶ୍ର ଏହି ଆସନରେ ଲଢେ଼ଇ କରିବା ପାଇଁ ଟିକଟ ପାଇଛନ୍ତି। ହେଲେ ଗତ ନିର୍ବାଚନରେ ଏହି ଆସନରେ ବିଜେପି ବିଜୟୀ ହୋଇଥିଲା। ତେଣୁ ଗଡ ରକ୍ଷା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇବ ବିଜେପି। ଏବଂ ରାଜନୀତିରେ ବିଶେଷ ଅଭିଜ୍ଞତା ଥିବା ଶିବଦତ୍ତ ମିଶ୍ର କର୍ମୀଙ୍କୁ ଏକଜୁଟ କରିବାର କ୍ଷମତା ଓ ନିର୍ବାଚନୀ ଗୋଟି ଚଳାଇବାରେ ମାହିର ଥିବାରୁ ଏହି ଆସନ ପୁଣି ଥରେ ବିଜେପି ଅକ୍ତିଆର କରିବାରେ ସେତେଟା ଅସୁବିଧା ହେବ ନାହିଁ।
ଅନ୍ୟପଟେ ଦୀର୍ଘ ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତିରେ ଜଡ଼ିତ ନଥିବା ବିଜେଡ଼ି ନେତ୍ରୀ ଲିପିକା ପଧାନଙ୍କୁ ଟିକଟ ଦିଆଯାଇଛି। ଏଠାରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ପ୍ରାର୍ଥୀ ଉଦ୍ଧିଷ୍ଟ ଥିବା ସତ୍ତ୍ବେ ଜଣେ ମହିଳାଙ୍କୁ ଜୋର୍ ଜବରଦସ୍ତ ଟିକଟ ଦିଆଯାଇଛି। ଜିଲ୍ଲାରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ଥିବା ବେଳେ ୧୭ ନମ୍ୱର୍ ଜୋନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ଯଦ୍ୱାରା ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି। ଯେହେତୁ ଏହି ସାଧାରଣ ବର୍ଗର ଆସନ ପାଇଁ ଦଳର ଅନେକ ବରିଷ୍ଠ ଓ ଯୁବ ନେତା ଟିକଟ ଆଶାୟୀ ଥିଲେ। ହେଲେ ତାଙ୍କ ଜାଗାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଦଳ ନେତାଙ୍କୁ ମନାଇବା ପାଇଁ ଲାଗିବ ନା ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବ ତାହା ଚିନ୍ତାର ବିଷୟ ପାଲଟିଛି। ଅନ୍ୟ ପକ୍ଷରେ ଲିପିକା ପଧାନଙ୍କ ସେମିତି ଦବଦବା ନଥିବାରୁ ବିଜେପି ହାତରୁ ଏହି ଆସନ ଛଡ଼ାଇବା କାଠିକର ପାଠ ହେବ।
ସେପଟେ କଂଗ୍ରେସ କିନ୍ତୁ ଜଣେ ଯୁବ ବ୍ୟକ୍ତିଙ୍କୁ ମଇଦାନକୁ ଛଡିଛି। ସମାଜସେବୀ ତଥା
କଂଗ୍ରେସ ଯୁବ ନେତା ଶୁଭ୍ରାଂଶୁ ପଣ୍ଡା ୧୭ ନମ୍ୱର୍ ଜୋନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଛନ୍ତି। ନରସିଂହ ମିଶ୍ରଙ୍କ କ୍ରାନ୍ତିକୁ ଗାଁ ଗାଁରେ ପହଞ୍ଚାଇବା ସହ ବିକାଶ ମୁଦ୍ଦାକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ଲଢ଼ିବେ ଶୁଭ୍ରାଂଶୁ ପଣ୍ଡା। ତେବେ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ନେଇ ସରକାରର ପଟି ଖୋଲିବାକୁ କହିଛନ୍ତି ଶୁଭ୍ରାଂଶୁ। ଏସବୁ ମଧ୍ୟରେ ଲୋକଙ୍କ କେତେ ବିଶ୍ୱାସଭାଜନ ହୋଇ ପାରିବେ ତାହା ଭିନ୍ନ କଥା। ହେଲେ ବିଜେପି ଓ ବିଜେଡିକୁ ମାତ ଦେଇ ଗଡ ଭେଦ କରିବା ପାଇଁ ଉଦ୍ୟମ ରହିବ ଏଥିରେ କୌଣସି ସନ୍ଦେହ ନାହିଁ।
ତେବେ ଗତ ରାଜନୀତି ପାଣିପାଗ ଅନୁସାରେ ଏଥର ମଧ୍ୟ ବିଜେପି ଆସନ ଅକ୍ତିଆର କରିବା ଯଥେଷ୍ଟ ସମ୍ଭାବନା ରହିଛି। କାରଣ ପୁରୁଖା ସହ ଅନଭିଜ୍ଞ ଓ ଯୁବ ନେତାଙ୍କ ଲଢେଇ ହେଵ। ଯେହେତୁ ବିଜେଡ଼ି ଜଣେ ମହିଳା ନେତ୍ରୀଙ୍କୁ ବାଛିଥିବାରୁ ଆଶାୟୀ ନେତାଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଲୁଛି। ଦଳୀୟ କନ୍ଦଳ ବୃଦ୍ଧି ହୋଇ ତାହା ନିର୍ବାଚନରେ ପ୍ରତିଫଳିତ ହୋଇପାରେ। ଏପରିକି ଜିଲ୍ଲା ପରିଷଦ ଆସନରେ ପ୍ରଥମ କରି ଠିଆ ହୋଇଥିବା ବେଳେ ଗତ ୨୦୧୨ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପଦବୀରେ ବିଲାଇସର୍ଡା ପଞ୍ଚାୟତରୁ ପରାଜିତ ହୋଇଥିଲେ। ତା ପରଠାରୁ କୌଣସି ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ନାହାନ୍ତି। ଦୀର୍ଘ ୯ ବର୍ଷ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ କଂଗ୍ରେସ ଜଣେ ଯୁବ ନେତା ଶୁଭ୍ରାଂଶୁ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ଭାରି ଥିଲେ ବି ଗଡ କିଏ ଜିତିବ ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ଜଣା ପଡ଼ିବ।
