ନବନୀତା ବ୍ୟୁରୋ। ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ। ପ୍ରତିଦିନ ଜୋରସୋର ପ୍ରତିବାଦ ବିକ୍ଷୋଭ ସହ ହିଂସକ ବୃଦ୍ଧି ପାଇବାରେ ଲାଗିଛି। ସରକାର ପକ୍ଷରୁ ସ୍ପଷ୍ଟୀକରଣ ଦେବାପରେ ମଧ୍ୟ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଏପରିକି ଗୁରୁବାର ଅନେକ ସହରରେ ୧୪୪ ଲାଗୁ ପରେ ବି ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଘଟାଇଛନ୍ତି। ଲୋକଙ୍କ ଆକ୍ରୋଶର ଶିକାର ପୋଲିସକୁ ଭୋଗିବାକୁ ପଡ଼ିଛି। ହେଲେ ସବୁଠାରୁ ଅଧିକ ମାତ୍ରାରେ ହିଂସା ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଥିବା ଜଣା ପଡ଼ିଛି। ଦୁଇଟି ଥାନା ସହ ୧୨ରୁ ଅଧିକ ଗାଡ଼ିର ଅବସ୍ଥା ବିଗିଡି ଯାଇଛି। ପରିସ୍ଥିତି ଏପରି ହେଲା ଯେ କେତେ ଜାଗାରେ ପୋଲିସ ଲାଠି ଚାର୍ଜ କରିବା ସହ ଟିଅର ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ଇଣ୍ଟରନେଟ ବି ବନ୍ଦ କରାଯାଇଥିଲା। ହେଲେ ବଙ୍ଗାଲ୍, ଆସାମ ଓ ମେଘାଳୟରେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରହିଥିଲା।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜଘାଟ, ଶାନ୍ତିବନ, ଦରିଆଗଞ୍ଜ, ଜାମିଆନଗର, କାଶ୍ମୀର ଗେଟ୍ ତଥା ଜନ୍ତରମନ୍ତରଠାରେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୨୦ ମେଟ୍ରୋ ରେଳ ଷ୍ଟେସନ ବନ୍ଦ ରହିଥିଲା। ହେଲେ ସ୍ଥିତିରେ ସୁଧାର ପରେ ମେଟ୍ରୋ ଷ୍ଟେସନ ପୁଣି ଖୋଲା ଯାଇଥିଲା। ହେଲେ ନିଷେଧାଦେଶ ଉଲ୍ଲଂଘନ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସିଥିବା ହଜାର ହଜାର ଛାତ୍ର, କାର୍ଯ୍ୟକର୍ତ୍ତା ଓ ବିରୋଧୀ ନେତାଙ୍କୁ ହାଜତକୁ ନେଇଥିଲା ପୋଲିସ। ସେଥିରେ ସୀତାରାମ ୟେଚୁରୀ, ଡି. ରାଜା, ଅଜୟ ମାକନ୍, ସନ୍ଦୀପ ଦୀକ୍ଷିତ, ଯୋଗେନ୍ଦ୍ର ଯାଦବ ଭଳି ବଡ଼ ବଡ଼ ନେତା ସାମିଲ୍ ଥିଲେ। ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀର ଅନେକ ଜାଗାରେ ଇଣ୍ଟରନେଟ, ଭଇସ୍ ଓ ମେସେଜ ସେବା ବନ୍ଦ ରଖା ଯାଇଥିଲା।
