ଜିଲ୍ଲା ସ୍ତରୀୟ ‘ଟେବୁଲ୍ ଟପ୍ ଏକ୍ସରସାଇଜ୍’

ବଡ଼ ଖବରଓଡ଼ିଶା

ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ l ପ୍ରଶାସନର ପ୍ରାକୃତିକ ବିପର୍ଯ୍ୟୟ ଚିନ୍ତା l ଆସନ୍ନ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ର ସଂଯୁକ୍ତ ପ୍ରୟାସରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତରଣୀ ସୁନାଙ୍କ ଅଧ୍ୟକ୍ଷତା କରିଥିଲେ l ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୃତ କୁମାର ପଣ୍ଡା, ଓଏସଡିଏମର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଭୁଦତ୍ତ ପାଢ଼ୀ ମଞ୍ଚରେ ଉପସ୍ଥିତ ଥିଲେ । ଏକ କାଳ୍ପନିକ ବାତ୍ୟା କିମ୍ବା ବନ୍ୟା ପରିସ୍ଥିତିର ସିମ୍ୟୁଲେସନ୍ ସ୍କେନାରିଓ ସୃଷ୍ଟି କରାଯାଇ, ଜରୁରୀକାଳୀନ ସମୟରେ କିପରି ତୁରନ୍ତ ଓ ପ୍ରଭାବଶାଳୀ ପଦକ୍ଷେପ ନିଆଯିବ, ସେଥିପାଇଁ ବିସ୍ତୃତ ସମୀକ୍ଷା କରାଗଲା ।

‘ଶୂନ୍ୟ ମୃତାହତ’ ଲକ୍ଷ୍ୟକୁ ଧ୍ୟାନରେ ରଖି ସିଡିଓ ତରଣୀ ସୁନା ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ l ତାସହ ରାଜ୍ୟ ସରକାରଙ୍କ ‘ଶୂନ୍ୟ ମୃତାହତ’ ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ୨୪x୭ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୦୬୬୫୨-୨୩୦୯୬୯ ଓ ୯୪୩୮୭୭୬୩୯୪ ଜାରି କରାଯାଇଛି । ସମସ୍ତ CHC, PHC ଓ ଉପକେନ୍ଦ୍ରରେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗଠନ କରାଯାଇ, ସାପ କାମୁଡା ଇଞ୍ଜେକ୍ସନ୍ (ASV) ଓ ORS ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ପ୍ରତି ବ୍ଲକ୍‌ରେ ଶୁଖିଲା ଖାଦ୍ୟ, କିରୋସିନ୍, ପଲିଥିନ୍ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନଦୀ ଓ କେନାଲ୍ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ମରାମତି, ଡ୍ରେନେଜ୍ ବ୍ୟବସ୍ଥା ସଚଳ ରଖିବା ଓ ବର୍ଷାଜଳର ଅବାଧ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଜଳସେଚନ, ପଞ୍ଚାୟତିରାଜ ଓ ସହରଞ୍ଚଳ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି । ପଶୁ ସମ୍ପଦ ବିଭାଗକୁ ପଶୁ ଟୀକାକରଣ ଓ ଚିକିତ୍ସା ସେବା ପାଇଁ ସଜାଗ ରହିବାକୁ, କୃଷି ବିଭାଗକୁ ବନ୍ୟା ପରବର୍ତ୍ତୀ କୃଷି ସହାୟତା ଯୋଜନା ପ୍ରସ୍ତୁତ କରିବା ସହିତ ବିହନ, ସାର ଓ କୀଟନାଶକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ତୁରନ୍ତ ରାସ୍ତା ସଫା, ବିଦ୍ୟୁତ ଓ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଜିଲ୍ଲାବାସୀଙ୍କୁ ଗୁଜବରେ ବିଶ୍ୱାସ ନ କରି ପ୍ରଶାସନ ଦ୍ୱାରା ଜାରି ହେଉଥିବା ସୂଚନା ଓ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି ।

ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକରେ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ, କ୍ଷୁଦ୍ର ଜଳ ସେଚନର ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ରନାଥ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ନିଶାଙ୍କ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।