‘ଆସ ଆମେ ସ୍କୁଲ ଯିବା’ ଅଭିଯାନର ଶୁଭାରମ୍ଭ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ଅଧା ପାଠୁଆ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ଉଦ୍ୟମ l ଏଥିପାଇଁ ରାଜ୍ୟବ୍ୟାପୀ ଆସ ସ୍କୁଲ ଯିବା ଅଭିଯାନ ଆରମ୍ଭ ହୋଇଛି l ଏ ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଜରାସିଂଘା ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ “ଆସ ଆମେ ସ୍କୁଲ ଯିବା’ ଅଭିଯାନର ରଥ ଓ ପଦଯାତ୍ରା ଶୁଭାରମ୍ଭ ହୋଇଛି l ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ରାଜ୍ୟ ସରକାରଙ୍କ ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେଣୁ ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏହାର ମୂଳ ଉଦ୍ଦେଶ୍ୟ l

ରାଜ୍ୟ ସରକାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । କୌଣସି କାରଣରୁ ବିଦ୍ୟାଳୟକୁ ଯାଇପାରୁ ନ ଥିବା ପିଲାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ପାଇଁ ୧୮ ବର୍ଷରୁ କମ ବୟସର ସମସ୍ତ ପିଲାମାନେ, ପୂର୍ବରୁ ବିଦ୍ୟାଳୟରେ ନାମ ଲେଖାଇଥିଲେ କିନ୍ତୁ ଏବେ ପାଠପଢ଼ା ଛାଡ଼ି ଦେଇଛନ୍ତି ସେମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବା l ଏପରିକି ଯେଉଁମାନେ କେବେ ବିଦ୍ୟାଳୟରେ ନାମ ଲେଖାଇ ନାହାଁନ୍ତି, ସେମାନଙ୍କୁ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା । ବର୍ତ୍ତମାନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନେ ଯେପରି ଅଧାରୁ ପାଠପଢ଼ା ନ ଛାଡ଼ିବେ ଏବଂ ବିଦ୍ୟାଳୟରେ ରହି ପାଠପଢ଼ା ଜାରୀ ରଖିବେ ତାହା ସୁନିଶ୍ଚିତ କରିବା । ତେବେ ଏହି ଅଭିଯାନ ମାଧ୍ୟମରେ ସେମାନଙ୍କୁ ଗୁଣାତ୍ମକ, ଅନ୍ତର୍ନିବେଶୀ ଏବଂ ଆନନ୍ଦଦାୟକ ଶିକ୍ଷା ସୁନିଶ୍ଚିତ କରିବା, ବାଲ୍ୟବିବାହ, ଶିଶୁଶ୍ରମ ଏବଂ ଶିଶୁ ଚାଲାଣ ଭଳି ସାମାଜିକ ସଙ୍କଟକୁ ରୋକିବା । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବିଦ୍ୟାଳୟରେ ୧୦୦% ନାମଲେଖା ସୁନିଶ୍ଚିତ କରିବା l ଏ ଅବସରରେ ଚାରି ଜଣ ଛାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ପଞ୍ଜୀକରଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ଜିଲ୍ଲାପାଳ ଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟରେ ୧୪୮୭ ଜଣ ଛାତ୍ରଛାତ୍ରୀ ଯେଉଁ ମାନେ ଅଧାରୁ ପାଠ ଛାଡ଼ିଥିଲେ, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନେ ପୁନଃ ନାମ ପଞ୍ଜୀକରଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁସୁମା ମହାପାତ୍ର, ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର କର୍ମଚାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଦ୍ୟାଳୟ ସହିତ ଜଡ଼ିତ ଥିବା ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।