ସାଢ଼େ ଦଶ ଲକ୍ଷର ନକଲି ନୋଟ ଜବତ, ୪ ଗିରଫ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ ପୁଣି ଧରା ପଡ଼ିଲା ନକଲି ନୋଟ କାରବାର। ଜାଲ ନୋଟ୍ ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର। ପୋଲିସ ସୂଚନା ଅନୁସାରେ, ଗତ ୩୦ ତାରିଖରେ ଟିଟିଲାଗଡ ଥାନା ଏସଆଇ ନରେନ୍ଦ୍ର ଛତର ଅନ୍ୟ ପୋଲିସମାନଙ୍କ ସହ ସହରରେ ପେଟ୍ରୋଲିଂ କରୁଥିଲେ। ଏ ସମୟର ଟିଟିଲାଗଡ ସ୍ଥିତ ନାରେନ ଗାଁରେ କିଛି ବ୍ୟକ୍ତି ନକଲି ନୋଟ କାରବାର କରୁଥିବା ନେଇ ସୁଚନା ପାଇଥିଲେ। ଏବଂ ସଙ୍ଗେ ସଙ୍ଗେ ସେଠାରେ ପୋଲିସ ଚଢ଼ାଉ କରି ୪ ଜଣକୁ ଗିରଫ କରିଥିଲା। ଏଥିସହ ସେମାନଙ୍କ ପାଖରୁ ୧୦ ଲକ୍ଷ ୫୦ ହଜାର ୪୦୦ ଟଙ୍କା ନକଲି ନୋଟ ଓ ୧ ଲକ୍ଷ ୧୨ ହଜାର ୨୦ ଟଙ୍କା ଅସଲି ନୋଟ ଜବତ କରିଥିଲା ପୋଲିସ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସିଲେଟପଡ଼ା ଗାଁର କ୍ଷୀରୋଦ ରଣା, କଳାହାଣ୍ଡି ଜିଲ୍ଲା ଅଯରାଇ ଗାଁର ଛବିଲାଲ ବାଗ, ତୁରପି ଗାଁର ତୁରାଙ୍ଗ ବାଗ ଓ ଉର୍ଲାଙ୍ଗ ଗାଁର କେଶବ ଭୋଇ । ସମ୍ପୃକ୍ତ ଯୁବକମାନଙ୍କ ଠାରୁ ୪ ଟି ମୋବାଇଲ ଫୋନ ଓ ୩ ମଟର ସାଇକଲ ପୋଲିସ ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ପୂର୍ବରୁ ଟିଟିଲାଗଡ଼ରୁ ୩୦ ଲକ୍ଷ ଟଙ୍କା ଜବତ ସହ ଦୁଇ ଜଣକୁ ଗିରଫ କରିଥିଲା। ତେବେ ଜିଲ୍ଲାରେ ନକଲି ନୋଟ କାରବାର ଚାଲିଥିଲେ ବି ନିୟନ୍ତ୍ରଣ କରିବାରେ ପୋଲିସ ଫେଲ୍ ମାରିଛି।