ଏନ୍ଏନ୍ ବ୍ୟୁରୋ। ପୁଣି ଜେଲକୁ ଫେରିଲେ ୪ ଅଭିଯୁକ୍ତ। କ୍ରାଇମ୍ ବ୍ରାଞ୍ଚର ତିନି ଦିନିଆ ରିମାଣ୍ଡ ସରିବା ପରେ ଆଜି ୪ ଅଭିଯୁକ୍ତକୁ ଜେଲ ପଠେଇ ଦିଆଯାଇଛି। ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତା ସହଯୋଗୀ ଆଲୋକ ଉଦଗାତା ସହ ଅନ୍ୟ ଦୁଇ ଜାଲ ସାର୍ଟିଫିକେଟଧାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକକୁ ରିମାଣ୍ଡରେ ଆଣି ବହୁ ତଥ୍ୟ ଓଗାଳିଛି କ୍ରାଇମ୍ ବ୍ରାଞ୍ଚ ଟିମ୍। ତିନି ଦିନ ଧରି ରିଜର୍ଭ ବାରାକରେ ମାରାଥନ ଜେରା ପରେ ଅଭିଯୁକ୍ତଠାରୁ ଅନେକ ତଥ୍ୟ ହାସଲ କରିବା ସହ ଘଟଣାରେ ଗିରଫଦାରୀ ସଂଖ୍ୟା ବଢିବ ବୋଲି କହିଛନ୍ତି କ୍ରାଇମ୍ ବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର। ଏଥିପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଜେଲ ଯିବା ଆଗରୁ ସମସ୍ତ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା କ୍ରାଇମ୍ ବ୍ରାଞ୍ଚ। ହେଲେ ଦୀର୍ଘ ୮ ଦିନ ହେଲା କ୍ରାଇମ୍ ବ୍ରାଞ୍ଚ ଘଟଣାର ଖୋଳତାଡ଼ କରି ବହୁ ତଥ୍ୟ ହାସଲ କରିଥିଲେ ମଧ୍ୟ ଏଯାଏ କାହାରିକି ଛନ୍ଦି ପାରି ନାହିଁ।
ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାର ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ସ୍ଥାନରେ ରେଡ଼ କରିବା ସହ ଅଭିଯୁକ୍ତଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ଜେରା କରିଛି। ଏପରିକି ଘଟଣାର ଦୁଇ ମାଷ୍ଟର ମାଇଣ୍ଡକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ। ହେଲେ ରିମାଣ୍ଡ ସମୟରେ ମୁଖ୍ୟ ଅଭିଯୁକ୍ତ ଆଲୋକ ଉଦଗାତା ଅସୁସ୍ଥ ହୋଇ ପଡ଼ିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ଆସିୟୁରେ ଭର୍ତ୍ତି କରା ଯାଇଥିଲା। ହାଇପର ଟେନ୍ସନ ସମସ୍ୟା ଯୋଗୁଁ ଏଭଳି ସ୍ଥିତି ଉପୁଜିବା ସହ ସାଥୀ ଅଭିଯୁକ୍ତ ସହ ଆଲୋକ ପୁଣି ଜେଲକୁ ଫେରିଛି। ଦୀର୍ଘ ଆଠ ଦିନ ମଧ୍ୟରେ ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ବେଆଇନ ସମ୍ପତ୍ତି ଉପରେ ମଧ୍ୟ କ୍ରାଇମ ବ୍ରାଞ୍ଚ ପଦକ୍ଷେପ ନେବା ଜଣା ପଡ଼ିଛି। ପୂର୍ବରୁ ଜିଲ୍ଲା ପୋଲିସ ଏହି ମାମଲାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ପାଞ୍ଚଟି ପ୍ଲଟ ଓ ସାତଟି ବ୍ୟାଙ୍କ ଏକାଉଣ୍ଟକୁ ଫ୍ରିଜ଼ କରିଥିଲା। ହେଲେ ଏହି ବେଆଇନ ସମ୍ପତ୍ତିକୁ ଏବେ କ୍ରାଇମ ବ୍ରାଞ୍ଚ ଏଟେଚ କରିବା ପ୍ରକ୍ରିୟା ଆରମ୍ଭ କରିଥିବା ଜଣା ପଡ଼ିଛି। ହେଲେ ରିମାଣ୍ଡରେ ଆଣି ଜେରା କରିବା ପରେ କ୍ରାଇମ ବ୍ରାଞ୍ଚ କଣ ଅଧିକ ତଥ୍ୟ ପାଇଛି ଓ ଆଗକୁ କି ପଦକ୍ଷେପ ନେବ ସେଉପରେ ସମସ୍ତଙ୍କ ନଜର।
