କୁକୁଡ଼ା ଚୋରିକୁ ନେଇ ଏସିଡ୍ ମାଡ଼, ୪ ଗୁରୁତର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ପାରିବାରିକ କଳହ ଓ କୁକୁଡ଼ା ଚୋରିକୁ ନେଇ ଲଙ୍କାକାଣ୍ଡ। ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ମାରପିଟ। ଏସିଡ ମାଡରେ ଗୋଟିଏ ପରିବାରର ଚାରି ଜଣ ଗୁରୁତର। ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ କରୁଥିବା ବେଳେ ଗୁରୁତର ୪ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ, ସଂଜୁ ସାହୁଙ୍କ ପରିବାର ଓ ନେପାଳ ସାହୁଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ଏପରିକି କିଛି ଦିନ ତଳେ ନେପାଳ ସାହୁଙ୍କ କୁକୁଡ଼ା ଚୋରିକୁ ନେଇ ପୁଣି ଗଣ୍ଡଗୋଳ ବାହାରି ଥିଲା। ହେଲେ ଆଜି ନେପାଳ ସାହୁଙ୍କ ପରିବାର ଲୋକେ ସଂଜୁ ସାହୁଙ୍କ ଘରକୁ ଆସି ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ତେବେ ନେପାଳ ସାହୁ ବୋତଳରେ ଆଣିଥିବା ଏସିଡରେ ସମସ୍ତଙ୍କୁ ଆକ୍ରମଣ କରିଥିଲା। ଏସିଡ ଆକ୍ରମଣରେ ମା ସଂଜୁ ସାହୁ, ତାଙ୍କ ଦୁଇ ପୁଅ ସୁବାଷ ସାହୁ , ଜଗବନ୍ଧୁ ସାହୁ ଓ ଜଗବନ୍ଧୁଙ୍କ ସଲା ଖଗ ସାହୁ ଗୁରୁତର ହୋଇଛନ୍ତି।

ଖବର ପାଇ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗିର ଭିମଭୋଇ ମେଡ଼ିକାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏମାଙ୍କ ମଧ୍ୟରୁ ସୁବାସ ସାହୁଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଜଣା ପଡ଼ିଛି। ଏହି ଘଟଣାକୁ ନେଇ ବଙ୍ଗୋମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି। ଏବଂ ଏଥିରେ ତୁଲଶି ସାହୁ ଓ ନେପାଳ ସାହୁଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ସେପଟେ ଏନେଇ ଆକ୍ରମଣକାରୀ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।