ଏସଓଜି ଗୁଳିରେ ଦୁଇ ମହିଳା ମାଓ ମୃତ: ଏସପି ନୀତିନ କୁଶଳକର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ପୋଲିସକୁ ବଡ଼ ସଫଳତା। ଏସଓଜି ଯବାନଙ୍କ ଗୁଳିରେ ଟଳି ପଡିଲେ ଦୁଇ ମାଓ। ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁଳି ବିନିମୟରେ ଦୁଇ ମାଓ ନିହତ ହୋଇଛନ୍ତି। ମୃତ ଦୁଇ ମହିଳା ମାଓବାଦୀ ବିବିଏମ୍ ଡିଭିଜନର ବୋଲି ଜଣାପଡିଛି। ଏଥିସହ ଘଟଣାସ୍ଥଳରୁ ଦୁଇଟି ଇନସାଫ ରାଇଫଲ, ଗୁଳି, ଦୁଇଟି ମାଗାଜିନ୍ ଓ ମାଓ ସମାଗ୍ରୀ ଜବତ କରାଯାଇଛି। ହେଲେ ଘଟଣାସ୍ଥଳରୁ ୪/୫ ମାଓବାଦୀ ଫେରାର୍ ମାରିବାରେ ସଫଳ ହୋଇଛନ୍ତି। ଏନେଇ ଡିପିଓରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ଏସ୍ପି ନୀତିନ୍ କୁଶଳକର। ଏନକାଉଣ୍ଟର ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ଏସପି ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁସାରେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଚାଲିଥିବା ନେଇ ଖବର ମିଳିଥିଲା। ଏହାପରେ ଏଣ୍ଟି ନକ୍ସଲ ଅପରେସନ ଆରମ୍ଭ ହେବା ସହ ଚାରୋଟି ୟୁନିଟରେ ଭାଗ ଭାଗ ହୋଇ ଏସଓଜି ଯବାନ ସର୍ଚ୍ଚ କରିଥିଲେ। ଏବଂ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓ କ୍ୟାମ୍ପ ଠାବ କରିବା ସହ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଥିରେ ରାଜି ନହୋଇ ମାଓବାଦୀମାନେ ଯବାନ ଉପରକୁ ଫାଇରିଂ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ଅଧ ଘଣ୍ଟା ସମୟ ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିଲା। ଶେଷରେ ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ମୃତ ହେବା ପରେ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ୪/୫ ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଥିବା ଏସପି ସୂଚନା ଦେଇଛନ୍ତି। ଏହାପରେ ସଂପୃକ୍ତ ଅଞ୍ଚଳରେ କମ୍ୱିଂ ଅପେରସନ୍ ଜୋରଦାର କରାଯାଇଥିବା ସେ କହିଛନ୍ତି।