ବିଜେଡି ଅସନ୍ତୋଷର ଫାଇଦା ଉଠାଇଲା କଂଗ୍ରେସ: ସ୍ମାରକ ମିଶ୍ର ବ୍ୟାଙ୍କ ସଭାପତି

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ I ସମବାୟ ସଭାପତି ନିର୍ବାଚନରେ କଂଗ୍ରେସର ବାଜିମାତ I ବିଜେଡିର ଅଧିକାଂଶ ବ୍ୟାଙ୍କ ନିର୍ଦ୍ଦେଶକ ଥିବା ସତ୍ତ୍ୱେ ଚକ୍ମା ଦେଖାଇଲେ ସ୍ମାରକ ରଞ୍ଜନ ମିଶ୍ର I ମାତ୍ର ଦୁଇ ଜଣ କଂଗ୍ରେସ ସମର୍ଥିତ ବ୍ୟାଙ୍କ ନିର୍ଦ୍ଦେଶକ ଥାଇ ସୁଦ୍ଧା ବ୍ୟାଙ୍କ ସଭାପତି ପଦ ହାତେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସ୍ମାରକ I ଏଥିସହ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନୂଆ ସଭାପତି ଆସନ ଅକ୍ତିଆର କରିଛନ୍ତି ସ୍ମାରକ ମିଶ୍ର I ମଙ୍ଗଳବାର ବଲାଙ୍ଗିର ସମବାୟ ବ୍ୟାଙ୍କ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ପଦ୍ମାବତୀ ପାତ୍ର, ବିଦ୍ରୋହୀ ବିଜେଡି ପ୍ରାର୍ଥୀ ଅକ୍ଷୟ ରାଉତ ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସ୍ମାରକ ରଞ୍ଜନ ମିଶ୍ର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ I ହେଲେ ସ୍ମାରକ ମିଶ୍ରଙ୍କ ସପକ୍ଷରେ 8ଟି ଭୋଟ ପଡିଥିବା ବେଳେ ପଦ୍ମାବତୀ ପାତ୍ରଙ୍କୁ 6 ଓ ଅକ୍ଷୟ ରାଉତଙ୍କୁ ମାତ୍ର ଗୋଟିଏ ଭୋଟ ମିଳିଥିଲା I ସ୍ମାରକ ଦୁଇଟି ଭୋଟ ଅଧିକ ପାଇ ବିଜୟୀ ଘୋଷିତ ହୋଇଥିଲେ I

ସୂଚନାଯୋଗ୍ୟ ଯେ, ମୋଟ 15 ବ୍ୟାଙ୍କ ନିର୍ଦ୍ଦେଶକଙ୍କ ମଧ୍ୟରୁ ବିଜେଡ଼ି ସମର୍ଥିତ ବ୍ୟାଙ୍କ ନିର୍ଦ୍ଦେଶକ 13 ଜଣ ରହିଥିଲେ l ହେଲେ କଂଗ୍ରେସ ସମର୍ଥିତ ବ୍ୟାଙ୍କ ନିର୍ଦ୍ଦେଶକ ଥିଲେ ମାତ୍ର ଦୁଇ ଜଣ I ଆଶା କରାଯାଉଥିଲା ଏକପଖିଆ ଭାବେ ବିଜେଡି ବ୍ୟାଙ୍କ ସଭାପତି ପଦ ହାସଲ କରିବ I ଏହି ପଦବୀ ପାଇଁ ବିଜେଡିର ଅନେକ ଦାବିଦାର ମଧ୍ଯ ରହିଥିଲେ I ହେଲେ ବରିଷ୍ଠ କିମ୍ବା ଯୁବ ବର୍ଗଙ୍କୁ ଏଥିରେ ସାମିଲ୍ କରାନଯିବାରୁ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇବା ସହ ଗଣିତ ସବୁ ଓଲଟ ପାଲଟ ହୋଇଗଲା I ପଦ୍ମାବତୀ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ବିଦ୍ରୋହୀ ଭାବେ ମଇଦାନକୁ ଓହ୍ଲାଇଲେ ଅକ୍ଷୟ ରାଉତ I ଅତି ସହଜ ନିର୍ବାଚନ ବିଜେଡି ପାଇଁ ଆହୁରି ଜଟିଳ ହୋଇଗଲା I ଅନ୍ୟପଟେ କଂଗ୍ରେସର ସ୍ମାରକ ମିଶ୍ର ମଧ୍ୟ ସଭାପତି ଆସନ ଦଖଲ କରିବା ପାଇଁ ଅଣ୍ଟା ଭିଡିଲେ I

ଦଳରେ ଅନେକ ଅଭିଜ୍ଞ ପ୍ରାର୍ଥୀ ଥାଉ ଥାଉ କାହିଁକି ଜଣେ ଅନଭିଜ୍ଞ ମହିଳାଙ୍କୁ ପ୍ରାର୍ଥୀ କରାଗଲା ତାହା ସହଜରେ ହଜମ କରି ପାରିଲେ ନାହିଁ I ଅଳ୍ପ ଶିକ୍ଷିତା ପଦ୍ମାବତୀ ପାତ୍ରଙ୍କୁ କେଉଁ ଉଦ୍ଧେଶ୍ୟରେ ପ୍ରାର୍ଥୀ କରାଗଲା ! ମହିଳାଙ୍କୁ ଗୁରୁତ୍ଵ ନା ବହୁ ଆଶାୟୀଙ୍କ ମୁହଁ ବନ୍ଦ କରିବା ପ୍ରୟାସ I ଏପରିକି ତାଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାର୍ଥୀ କରିଥିବା ଦୃଢତାର ସହ କହିଥିଲେ ପଦ୍ମାବତୀ I ଅନ୍ୟପଟେ ଅକ୍ଷୟ ବିଦ୍ରୋହୀ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ I ତାଙ୍କ ପଛରେ ମଧ୍ଯ ଅଦୃଶ୍ୟ ଶକ୍ତି ରହିଥିଲା I ହେଲେ ଉଭୟଙ୍କୁ ସଭାପତି ଆସନରେ ନ ବସାଇ ପାନେ ଦେଇ ସବକ୍ ଶିଖାଇଲେ ବିଜେଡି ବ୍ୟାଙ୍କ ନିର୍ଦ୍ଦେଶକ I ଏବଂ 6 ଜଣ କ୍ରସ୍ ଭୋଟିଂ କରି କଂଗ୍ରେସର ସ୍ମାରକ ମିଶ୍ରଙ୍କୁ ଜିତାଇଲେ ବିଜେଡି ନିର୍ଦ୍ଦେଶକ I ବିଜେଡି ସମର୍ଥିତ କଂଗ୍ରେସ ସଭାପତି ହେଲେ ସ୍ମାରକ I ଏବଂ ଜିତିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ମିଳିମିଶି କାମ କରିବାକୁ ପ୍ରତିକ୍ରିୟା ରଖିଛନ୍ତି ନବନିର୍ବାଚିତ ବ୍ୟାଙ୍କ ସଭାପତି I