ବଲାଙ୍ଗିରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ସାମ୍ବାଦିକ ଭବନରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମିଳିତ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନୀତିନ କୁଶଳକର ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡ଼ା ପ୍ରଥମେ ସ୍ୱାଗତ ଭାଷଣ ଦେବା ସହ ସମାରୋହର ଉଦ୍ଦେଶ୍ୟ ଓ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଏନେଇ ଉପସ୍ଥିତ ଜିଲ୍ଲାର ସାମ୍ବାଦିକମାନେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’ ସଂପର୍କରେ ଆଲୋଚନା କରିବା ସହ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ପରେ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ ମତ ରଖିବା ସହ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଏହାର ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରି ଆସିଛି। ରାଷ୍ଟ୍ରର ସାମୂହିକ ସମୃଦ୍ଧି ଓ ସ୍ୱଚ୍ଛତା କ୍ଷେତ୍ରରେ ଗଣମାଧ୍ୟମ ସଫଳ ଯୋଗଦାନ ଦେଇ ଆସିଛି। ଏ ଅବସରରେ ବଲାଙ୍ଗିରର ସାମ୍ବାଦିକତାକୁ ପ୍ରଶଂସା କରିଥିଲେ ଜିଲ୍ଲାପାଳ। ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏପରିକି ବଲାଙ୍ଗିରର ସାମ୍ବାଦିକତା ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦ ପରିଡ଼ା ସଭାପତିତ୍ୱ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ। ଶେଷରେ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।