ଧାନ କିଣା ଅପେକ୍ଷା ମଦ କିଣାବିକା ଉପରେ ଅଧିକ ଗୁରୁତ୍ବ: ମୁକେଶ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଆସନ୍ତା ୨୫ରୁ ବଲାଙ୍ଗିର ଜିଲ୍ଲାରେ ଖରିଫ ଧାନ କିଣା ଯିବ। ୨୦୨୨-୨୩ ଖରିପ ଧାନ କିଣା ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏଲପିସି ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ରଥ, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନ,ସମ୍ପାଦକ ସୌମେନ୍ଦ୍ର କୁମାର ପରିଚ୍ଛାଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ସମବାୟ ,ଜଳ ସେଚନ, ନିୟନ୍ତ୍ରିତ ବଜାର କମିଟି, ଭାରତୀୟ ଖାଦ୍ୟ ନିଗମର ଅଧିକାରୀ ଓ ମିଲର୍ସ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାରେ ଚଳିତ ଖରିଫ ଧାନ କିଣା ସୁଚାରୁରୂପେ ସମ୍ପାଦିତ ହେବ, ଚାଷୀମାନେ ସେମାନଙ୍କର ଉତ୍ପାଦିତ ଧାନମଣ୍ଡିଗୁଡିକରେ ସୁରୁଖୁରୁରେ ବିକ୍ରୟ କରିପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ କର୍ମଚାରୀ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ଆସନ୍ତା ୨୫ ତାରିଖରୁ ଜିଲ୍ଲାରେ ଧାନ କିଣା ଯିବା ନେଇ ନିଷ୍ପତି ହୋଇଥିଲା। ୧୫୮ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୬ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣାଯିବ। ସାଧାରଣ ଏଫଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରେଡ ଏ ଏଫଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୦୬୦ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଜିଲ୍ଲାରେ ଧାନ ବିକ୍ରି ପାଇଁ ମୋଟ ୭୪୪୫୦ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି।

ତେବେ ଧାନ କିଣା ନୀତି ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଉପରେ ବର୍ଷିଥିଲେ ବିରୋଧୀ ବିଧାୟକ। ସରକାରୀ ଅନୁସାରେ ଚଳିତ ମାସ ୧ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ଧାନ କିଣା ଯିବ। ଏହାରି ମଧ୍ୟରେ ଅନେକ କିସମର ଧାନ ଅମଳ ହେବା ସହ କମ ଦରରେ ଚାଷୀଙ୍କ ଠାରୁ ମିଲର୍ସ ମାନେ ଧାନ ସଂଗ୍ରହ କରି ସାରିଲେଣି। କେବଳ କାଗଜପତ୍ରରେ ଏହି ଧାନ କିଣା ହେବ ବୋଲି ଉଦବେଗ ପ୍ରକାଶ କରିଥିଲେ ବିଧାୟକ। କେବଳ ଏତିକି ନୁହେଁ, ମଦ ବିକ୍ରି ପାଇଁ ସରକାର ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି ସେଭଳି ଧାନ କିଣା କ୍ଷେତ୍ରରେ ପରିଲକ୍ଷିତ ହେଉନଥିବା କହିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ।