ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ବିଜେଡିର ଏକତରଫା ବିଜୟ। ମୋଟ ୧୫ ଜୋନ ମଧ୍ୟରୁ ୧୩ ଟିରେ ବିଜେଡ଼ି ବାଜି ମାରି ନେଇଛି। ହେଲେ ୫ ଓ ୯ ଜୋନରେ ବିଜେଡ଼ିର ଶୋଚନୀୟ ପରାଜୟ ହୋଇଛି। ୫ରେ ମନ୍ତ୍ରୀଙ୍କ ସମର୍ଥକ ହାରିଥିବା ବେଳେ ୯ରେ ରାଜ୍ୟ ପରିଷଦ ସଭ୍ୟଙ୍କ ସମର୍ଥିତ ବିଜେଡ଼ି ପ୍ରାର୍ଥୀ ପରାଜିତ ହୋଇଛନ୍ତି। ତିନି ବ୍ଲକର ତିନି ଜଣ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ଚକମା ଦେଖାଇଛି କଂଗ୍ରେସ। ହେଲେ ଏହି ନମ୍ବର ୯ ଜୋନରେ ବିଜେଡ଼ି ହାରିଲା କାହିଁକି।
ଚଳିତ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ସମସ୍ତ ୧୫ଟି ଜୋନରେ ପ୍ୟାନେଲ ହିସାବରେ ବିଜେଡ଼ି ପ୍ରାର୍ଥୀ ଦେଇଥିଲା। ଅନେକ ଜୋନରେ ପ୍ୟାନେଲ ସତ୍ତ୍ୱେ ବିଜେଡ଼ିର ଅନ୍ୟ ପ୍ରାର୍ଥୀ ମାନେ ସ୍ଵାଧୀନ ଭାବରେ ଲଢ଼ିଥିବା କୁହାଯାଉଛି। ହେଲେ ୯ ନମ୍ବର ଜୋନରେ ପ୍ୟାନେଲ ହିସାବରେ ପୁଇନ୍ତଳା ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କ ବଡ଼ ଭାଇ ଉମେଶ ପ୍ରଧାନଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ଏହା ସତ୍ତ୍ୱେ ସଦର ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ଗୋଲାପ ବାଗ ଓ ଆଗଲପୁର ବ୍ଲକ୍ ଅଧ୍ୟକ୍ଷାଙ୍କ ସମର୍ଥିତ ଦୟାସାଗର ସାହୁ ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ଲଢିଥିଲେ। ଦଳୀୟ ବିଜେଡ଼ିରେ ଫାଟ ଯୋଗୁଁ ବାଜି ମାରି ନେଲା କଂଗ୍ରେସ। ଚିନ୍ତାମଣି ଭୋଇ ୭୩ ଭୋଟରେ ଉମେଶ ପ୍ରଧାନଙ୍କୁ ପରାସ୍ତ କଲେ। ବିଜେଡ଼ିର ଅନ୍ତଃକନ୍ଦଳ ହିଁ ଚିନ୍ତାମଣିଙ୍କୁ ବିଜୟୀ କରାଇବାରେ ସହାୟକ ହେଲା ଏଥିରେ ସନ୍ଦେହ ନାହିଁ।
ତେବେ ସମବାୟ କ୍ଷେତ୍ରରେ ଅଭିଜ୍ଞ ଉମେଶ ପ୍ରଧାନଙ୍କୁ ୯ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ କରିଥିଲା। ହେଲେ ୧୦ ନମ୍ବର ଜୋନ ପାଇଁ ସେ କ୍ଷେତ୍ର ପ୍ରସ୍ତୁତ କରି ସାରିଥିଲେ। କିନ୍ତୁ ଏହି ଜୋନରେ ଅକ୍ଷୟ ରାଉତଙ୍କୁ ପ୍ରାର୍ଥୀ କଲା ବିଜେଡ଼ି। ଅନିଚ୍ଛା ସତ୍ତ୍ୱେ ୯ ନମ୍ବର ଜୋନରେ ପ୍ୟାନେଲ ପ୍ରାର୍ଥୀ ହେଲେ ଉମେଶ ପ୍ରଧାନ। କିନ୍ତୁ ଉମେଶ କଥାକଥିତ ବିଜେଡ଼ି କର୍ମୀ ହୋଇଥିବାରୁ ଦୀର୍ଘ ୨୦ ବର୍ଷର କର୍ମୀ ଗୋଲାପ ବାଗ ଏହି ଜୋନରେ ନିର୍ବାଚନ ଲଢ଼ିଲେ। ଏପରିକି ଦଳୀୟ ଚାପ ସତ୍ତ୍ୱେ ଗୋଲାପ ବାଗ ନିର୍ବାଚନ ଲଢ଼ିଲେ। ସେହିପରି ଆଗଲପୁର ବ୍ଲକ ଅଧ୍ୟକ୍ଷାଙ୍କ ସମର୍ଥିତ ଦୟାସାଗର ସାହୁ ମଧ୍ୟ ବିଜେଡ଼ିରୁ ସ୍ଵାଧୀନ ଭାବରେ ଲାଗିଥିବା କୁହାଯାଉଛି। ଗୋଟିଏ ଜୋନରେ ବିଜେଡ଼ିର ତିନି ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ି ଥିବାରୁ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଭୋଇଙ୍କ ପାଇଁ ସହଜ ହୋଇଗଲା। ଏବଂ ଦଳୀୟ କନ୍ଦଳର ଫାଇଦା ଉଠାଇ ବାଜି ମାରି ନେଲେ ଚିନ୍ତାମଣି।
