ଏନ୍ଏନ୍ ବ୍ୟୁରୋ। ପଞ୍ଚାୟତ, ପୌର ନିର୍ବାଚନ ପରେ ସମବାୟ ନିର୍ବାଚନରେ ବାଜି ମାରିଲା ବିଜେଡ଼ି। ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏକତରଫା ଭାବେ ବିଜେଡ଼ି ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ବିଜୟୀ ହୋଇଛି। ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ମୋଟ ୧୫ଟି ଜୋନରେ ଆଜି ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ବିଜେଡ଼ି ୧୩ ଜୋନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨ଟି ଜୋନ ଦଖଲ କରିବାରେ ସକ୍ଷମ ହୋଇଛି। ଅବଶ୍ୟ ଏହି ନିର୍ବାଚନ ଦଳୀୟ ଭିତ୍ତିରେ ହୋଇନଥିଲେ ମଧ୍ୟ ଦଳୀୟ ସମର୍ଥନରେ ବିଜେଡ଼ି ପ୍ରାର୍ଥୀ ଦେଇଥିଲା। ଏବଂ ଏକପାଖିଆ ଭାବେ ବିଜେଡ଼ି ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ଅକ୍ତିଆର କରିଛି। ହେଲେ ୭ ନମ୍ବର ଜୋନରେ ଧର୍ମ ଗୋଲାରେ ଅଶୋକ ଦୋରାକୁ ହରାଇ ନିର୍ଦ୍ଦେଶକ ହୋଇଛନ୍ତି ବିଜେଡ଼ିର ଯୋଗୀନ୍ଦ୍ର ମିର୍ଦ୍ଧା।
ବିଜୟୀ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ମାନେ ହେଲେ ୧ ଜୋନର ରାଜ କିଶୋର ଡାଙ୍ଗ, ୨ରେ ଦମୟନ୍ତୀ ସୁଆର, ୩ରେ ନିହାର ରଞ୍ଜନ ସ୍ବାଇଁ, ୪ରେ ଚତୁର୍ମୁଖ ମେହେର, ୬ରେ ସୁଶିଲ କୁମାର ଚାନ୍ଦ, ୭ରେ ଯୋଗିନ୍ଦ୍ର ମିର୍ଦ୍ଧା, ୮ରେ କୃତିବାସ ବାଗ, ୧୦ ରେ ଅକ୍ଷୟ ରାଉତ୍, ୧୧ରେ ପଦ୍ମାବତୀ ପାତ୍ର, ୧୨ରେ କୁଶଲେଶ୍ୱର ମେହେର, ୧୩ ରେ ଦିପ୍ତିମୟୀ ସାହୁ, ୧୪ରେ ବନମାଳୀ ମେହେର ଏବଂ ୧୫ରେ ଲକ୍ଷ୍ମଣ ମେହେର। ସେହିପରି କଂଗ୍ରେସ ସମର୍ଥିତ ବିଜୟୀ ପ୍ରାର୍ଥୀ ହେଲେ ୫ ନମ୍ବର ଜୋନରେ ସ୍ମାରକ ରଞ୍ଜନ ମିଶ୍ର ଓ ୯ରେ ଚିନ୍ତାମଣି ସାହୁ।
ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ୧୫ଟି ଜୋନରେ ମୋଟ ୪୫ ଜଣ ପ୍ରାର୍ଥୀ ଥିଲେ। ହେଲେ ୪ ହଜାର ୯୧ ଭୋଟ ମଧ୍ୟରୁ ୩ ହଜାର ୬ ଶହ ୨୧ ଜଣ ମତଦାନ କରିଥିଲେ। ଅର୍ଥାତ୍ ୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ତେବେ ୧୫ ଜୋନରୁ ୧୩ ଟି ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଜିତିଥିବା ବେଳେ କେବଳ ଦୁଇଟି ଜୋନ ଯାଇଛି କଂଗ୍ରେସ ହାତକୁ। ବିଜେଡ଼ି ଏକପାଖିଆ ଭାବେ ନିର୍ଦ୍ଦେଶକ ପଦବୀ ହାସଲ କରିଥିବାରୁ ବ୍ୟାଙ୍କ ସଭାପତି ପଦବୀ ମଧ୍ୟ ବିଜେଡ଼ିକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ହେଲେ ବିଜୟୀଙ୍କ ମଧ୍ୟରେ ଅନେକ ଆଶାୟୀ ରହିଥିବାରୁ କିଏ ଏହି ଆସନ ଅଳଙ୍କୃତ କରିବ ତାହା ଦଳର ହାଇକମାଣ୍ଡ ନିଷ୍ପତ୍ତି କରିବେ ବୋଲି ବିଜୟୀ ପ୍ରାର୍ଥୀ କହିଛନ୍ତି। କିନ୍ତୁ ନିର୍ଦ୍ଦେଶକ ପଦ ପେନାଲ ହିସାବରେ ନିର୍ବାଚନ ଲଢିଥିଲେ ମଧ୍ୟ କିଛି ଜୋନରେ ଅନେକ ବିଜେଡ଼ି ପ୍ରାର୍ଥୀ ନିର୍ବାଚନ ଲଢିଥିଲେ। ତେବେ ସଭାପତି ପଦ ସହମତିରେ ହେବ ନା ଏଥିରେ ମଧ୍ୟ ଅନେକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ତାହା ଆଗାମୀ ଦିନରେ ଜଣା ପଡ଼ିବ।
