ଏନ୍ଏନ୍ ବ୍ୟୁରୋ। ପୁଣି ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲାର ବିଲେଇସର୍ଡା ପଞ୍ଚାୟତ। ଦୁର୍ନୀତିର ଗନ୍ତା ଘର ପାଲଟିଥିବା ଏହି ପଞ୍ଚାୟତ କାର୍ଯ୍ୟଳୟରେ ନିଆଁ ଲାଗି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯିବା ପୁଣି ଅନେକ ସନ୍ଦେହ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ବିଲେଇସର୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ ଲାଗି ସବୁ ଆସବାବ ପତ୍ର କମ୍ପ୍ୟୁଟର ଓ ଜରୁରୀ ତଥା ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ପୋଡ଼ି ଯାଇଛି। ସେପଟେ ଗ୍ରାମବାସୀ ଏହି ଘଟଣା ଜାଣିବା ପର୍ଯ୍ୟନ୍ତ ସବୁ ପୋଡ଼ି ଯାଇଥିବାର ଜଣା ପଡ଼ିଛି। ତେବେ କାର୍ଯ୍ୟଳୟ ବନ୍ଦ ଥିବା ବେଳେ ପଛ ପଟୁ ଝରକା ଭଙ୍ଗା ଯାଇ କେହି ଏହି ଘଟଣା ଭିଆଇଥିବାର୍ ସନ୍ଦେହ କରା ଯାଉଛି। ପଞ୍ଚାୟତରେ ଚାଲିଥିବା ଦୁର୍ନୀତି ଢ଼ାଙ୍କିବା ପାଇଁ ଜାଣିଶୁଣି ନିଆଁ ଲଗା ଯାଇଥିବାର ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।ପୁଇନ୍ତଲା ପୋଲିସକୁ ଅଭିଯୋଗ ଦିଆ ଯାଇଥିବା ବେଳେ ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରୁଥିବା ଜଣା ପଡ଼ିଛି।
ଏହି ପଞ୍ଚାୟତ ପୂର୍ବରୁ ସରପଞ୍ଚ ପଦବୀ ପାଇଁ ୪୪ ଲକ୍ଷ ଟଙ୍କା ନିଲାମ ଘଟଣା ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା। ସେହିପରି ନିକଟରେ ଆବାସ ଯୋଜନାରେ ମୃତ ଲୋକଙ୍କ ନାଆରେ ଟଙ୍କା ହଡ଼ପ ଭଳି ଦୁର୍ନୀତିର ବର୍ତ୍ତମାନ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ସେହିପରି ପଞ୍ଚାୟତରେ ମନରେଗା ଦୁର୍ନୀତି ମଧ୍ୟ ଚର୍ଚ୍ଚାରେ ଆସିଛି। ତେବେ ଏହି ସବୁ ଦୁର୍ନୀତିକୁ ଢାଙ୍କିବା ପାଇଁ ପଞ୍ଚାୟତ କାର୍ଯ୍ୟଳୟରେ ନିଆଁ ଲଗା ଯାଇଥିବାର ସନ୍ଦେହ ଦୃଢୀଭୂତ ହୋଇଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ପଞ୍ଚାୟତରେ ରାତ୍ରି ଜଗୁଆଳି ଏହା କେମିତି ଜାଣି ପାରିଲେ ନାହିଁ। ଯଦି ଜାଣିଥିଲେ କାହାକୁ ଜଣାଇଲେ ନାହିଁ କାହିଁକି। ଅନ୍ୟପଟେ ଏନେଇ ସରପଞ୍ଚ ଚୁପ୍ ରହୁଥିବାରୁ ତାଙ୍କ ଭୂମିକାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ତେଣୁ ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀକୁ ଗିରଫ କରାଯିବାକୁ ଦାବି ହୋଇଛି।
