କଲେଜରେ ଥମୁନି ରାଗିଂ: ମିଳିମିଶି ଛାତ୍ରଙ୍କୁ ଲାଠିରେ ନିସ୍ତୁକ ଛେଚିଲେ, ଭିଡିଓ ଭାଇରାଲ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ନ୍ୟୁଜ। କଲେଜ୍ ଗୁଡିକରେ ରାଗିଂ ଏକ ବ୍ୟାଧି ସାଜି ଥିବା ବେଳେ ଏଥିଯୋଗୁଁ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ମଧ୍ୟ ଯାଇ ଥିବାର ଅଭିଯୋଗ ହୋଇ ଆସୁଛି। ସେପଟେ କଲେଜରେ ରାଗିଂ ରୋକିବା ପାଇଁ ଅନେକ ନିୟମ କାନୁନ ଥିଲେ ବି ଏହା ଉପରେ ରୋକ ଲାଗି ପାରୁ ନାହିଁ। ତେବେ ବଲାଙ୍ଗିରରେ ଏହିଭଳି ରାଗିଂ ଯୋଗୁଁ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଛାତ୍ର ଓ ଅଣ ଛାତ୍ର ଜଣେ ଛାତ୍ରକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଛନ୍ତି। ସୂଚନା ନେବାରେ ଏହି ଘଟଣା ବଲାଙ୍ଗିର ସଇଁତଳା ବ୍ଲକ ସ୍ଥିତ ପଞ୍ଚାୟତ ସମିତି କଲେଜର ବୋଲି ଜଣା ପଡ଼ିଛି। ଏବଂ ମାଡ଼ ଖାଉଥିବା ଛାତ୍ର ଜଣକ ଏହି କଲେଜ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ର କାହ୍ନା ତାଣ୍ଡି ବୋଲି ଜଣା ପଡିଛି। ଏହି ଘଟଣା ପରେ ପୀଡିତ ଛାତ୍ର ସଇଁତଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ଗତ ୨୯ ତାରିଖରେ କଲେଜରେ ଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର ତାଙ୍କ ପାଖକୁ ଆସି ନାମ ଗ୍ରାମ ପଚାରି ଥିଲେ ଏବଂ ଖରାପ ବ୍ୟବହାର କରିଥିଲେ। ହେଲେ ପୀଡିତ ଛାତ୍ର ଜଣକ ମୁ ତୁମର ସିନିୟର୍ ଓ ମୋ ସହିତ ଭଲରେ କଥା ହୁଅ ବୋଲି କହିବାରୁ ସେହି ଛାତ୍ରମାନେ ତାଙ୍କୁ କଲେଜ୍ ବାହାରକୁ ଆଣି ଥିଲେ। ଏବଂ ସେଠି ଆଉ କିଛି ଅଣଛାତ୍ରଙ୍କ ସହ ମିଶି ତାଙ୍କୁ ଗୋଇଠା ମୁଥ ତଥା ବାଡ଼ିରେ ମାଡ଼ ମାରିଥିବା ସେ ପୋଲିସ୍ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ରାଗିଂ ଯୋଗୁଁ ଏହି କାଣ୍ଡ ହୋଇଛି ନା ନାହିଁ ତାର ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।